ଜୟପୁର: ବିଶିଷ୍ଟ ଗାନ୍ଧୀବାଦୀ ନେତା ଡ. ସାଲେମ ନଞ୍ଜୁଦୟା ସୁବ୍ବାରାଓଙ୍କର ଆଜି ଜୟପୁର ସରକାରୀ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। କାଲି ତାଙ୍କ ମରଶରୀର ମଧ୍ୟପ୍ରଦେଶର ମୋରେନା ପହଞ୍ଚିବ ଓ ଅନ୍ତିମ ଦର୍ଶନ ପାଇଁ ରଖାଯିବ। ସନ୍ଧ୍ୟାରେ ଜୌରାସ୍ଥିତ ଗାନ୍ଧୀ ସେବାଶ୍ରମରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବେଙ୍ଗାଲୁରୁରେ ଜନ୍ମିତ ଡ. ସୁବ୍ବାରାଓଙ୍କ ପୂରା ଜୀବନ ସମାଜସେବାରେ ସମର୍ପିତ ଥିଲା। ଚମ୍ବଲ ଉପତ୍ୟକାକୁ କୁଖ୍ୟାତ ଡକାୟତମାନଙ୍କଠାରୁ ସେ ମୁକ୍ତ କରାଇଥିଲେ। ଡ. ସୁବ୍ବାରାଓ ୧୪ ଏପ୍ରିଲ ୧୯୭୨ରେ ଜୌରାସ୍ଥିତ ଗାନ୍ଧୀ ସେବାଶ୍ରମରେ ୬୫୪ ଜଣ ଡକାୟତଙ୍କର ଆତ୍ମସମର୍ପଣ କରାଇଥିଲେ। ସେ ସମୟରେ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ଏବଂ ତାଙ୍କ ପତ୍ନୀ ପ୍ରଭାଦେବୀ ମଧ୍ୟ ଉପସ୍ଥିତ ଥିଲେ। ୪୫୦ ଡକାୟତ ଜୌରା ଆଶ୍ରମରେ ଏବଂ ୧୦୦ ଡକାୟତ ରାଜସ୍ଥାନ ଅନ୍ତର୍ଗତ ଧୌଲପୁରସ୍ଥିତ ଗାନ୍ଧୀ ମୂର୍ତ୍ତି ଆଗରେ ବନ୍ଧୁକ ଆଦି ଅସ୍ତ୍ରଶସ୍ତ୍ର ରଖିଦେଇଥିଲେ।
ଗ୍ବାଲିୟର ଚମ୍ବଲ ସମ୍ଭାଲରେ ଡ. ସୁବ୍ବାରାଓ ସାଥୀମାନଙ୍କ ଭିତରେ ଭାଇଜୀ ନାମରେ ପ୍ରସିଦ୍ଧ ଥିଲେ। ଡ. ସୁବ୍ବାରାଓ ହିଁ ଜୌରା ଗାନ୍ଧୀ ସେବାଶ୍ରମର ଭିତ୍ତି ସ୍ଥାପନ କରିଥିଲେ, ଯାହା ବର୍ତ୍ତମାନ ଶ୍ୟୋପୁର ପର୍ଯ୍ୟନ୍ତ ଗରିବ ଓ କୁପୋଷଣର ଶିକାର ହେଉଥିବା ପିଲାମାନଙ୍କ ପାଇଁ କାମ କରୁଛି। ଆଦିବାସୀମାନଙ୍କୁ ମୁଖ୍ୟ ଧାରାରେ ଆଣିବା ପାଇଁ ସେ ନିରନ୍ତର କାମ କରୁଥିଲେ। ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡ. ସୁବ୍ବାରାଓଙ୍କୁ ୧୯୯୫ ମସିହାରେ ରାଷ୍ଟ୍ରୀୟ ଯୁବା ପୁରସ୍କାର, ୨୦୦୩ରେ ରାଜୀବ ଗାନ୍ଧି ରାଷ୍ଟ୍ରୀୟ ସଦ୍ଭାବନା ପୁରସ୍କାର, ୨୦୦୬ରେ ଜମୁନାଲାଲ ବଜାଜ ପୁରସ୍କାର, ୨୦୧୪ରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ପ୍ରେରଣା ସେବା ପୁରସ୍କାର ଏବଂ ନାଗପୁରରେ ୨୦୧୪ରେ ରାଷ୍ଟ୍ରୀୟ ସଦ୍ଭାବନା ଏକତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/gsgad4g98ad7g98a4dg654adg65gdagagg.jpg)