କୃଷି ବିଲ୍‌‌ ହେଉଛି ସ୍ଲୋ ପଏଜନ୍‌: କଂଗ୍ରେସ

ନୂଆଦିଲ୍ଲୀ : କୃଷି ବିଲ୍‌କୁ ବିରୋଧ କରି ଶିରୋମଣି ଅକାଳୀ ଦଳ ଏନ୍‌ଡିଏରୁ ଓହରିବାର ଦିନକ ପରେ କଂଗ୍ରେସ ଆଜି ବିଜେପି ମେଣ୍ଟ ସହଯୋଗୀ ଜେଡିୟୁ ,ଏଲ୍‌ଜେପି ଏବଂ ଜେଜେପିକୁ କୃଷି ବିଲ୍‌କୁ ସମର୍ଥନ ନ କରିବାପାଇଁ କହିଛି। କଂଗ୍ରେସ କହିଛି ଯେ ଏହି କୃଷି ବିଲ୍‌ କର୍କଟ ଏବଂ ସ୍ଲୋ ପଏଜନ୍‌ ପରି। ଏହା ଉଭୟ ଚାଷୀ ଏବଂ ଚ‌ାଷକୁ ମାରିଦେବ। ଏକ ମିଳିତ ପ୍ରେସ୍‌ ସମ୍ମିଳନୀରେ କଂଗ୍ରେସର ହରିୟାଣା ମୁଖ୍ୟ କୁମାର ସେଲଜା ଏବଂ ପଂଜାବ ସଭାପତି ସୁନିଲ୍‌ ଜାଖର ଆଜି ସମସ୍ତ ଦଳକୁ ଏହି କୃଷି ବିଲ୍‌ ବିରୋଧରେ ଏକଜୁଟ ହେବାପାଇଁ କହିଛନ୍ତି। କେନ୍ଦ୍ର ସରକାର ଏହି କୃଷି ବିଲ୍‌କୁ ପ୍ରତ୍ୟା‌ହାର କରିନିଅନ୍ତୁ କାରଣ ଏହାଦ୍ବାରା କୃଷକମାନେ ବଡ଼ ବଡ଼ ବ୍ୟବସାୟୀଙ୍କ ଦାସ ପାଲଟିଯିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସେଲଜା ଏବଂ ଜାଖର କହିଛନ୍ତି, ଏନ୍‌ଡିଏର ମେଣ୍ଟ ସହଯୋଗୀମାନେ ଏହି ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ସମର୍ଥନ କରିବା ଉଚିତ୍‌। ଜମି ଅଧିଗ୍ରହଣ ବିଲ୍‌ ବିରୋଧରେ ଯେମିତି ସମସ୍ତେ ଏକଜୁଟ୍‌ ହୋଇଥିଲେ ଠିକ୍‌ ସେହିଭଳି ସମସ୍ତେ ଯଦି ଏହି କୃଷି ବିଲ୍‌କୁ ବିରୋଧ କରି ଏକଜୁଟ୍‌ ହେବେ ତେବେ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଶିରୋମଣି ଅକାଳୀ ଦଳ ଏନ୍‌ଡିଏରୁ ଓହରିବା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦଳ ନିଜ ଆଡ଼ୁ ଏହି ମେଣ୍ଟରୁ ଓହରିନି ବରଂ କୃଷକଙ୍କ ଚାପରେ ଏଭଳି କରିବାକୁ ବାଧ୍ୟ ‌ହୋଇଛି।

ସମ୍ବନ୍ଧିତ ଖବର