ଶାହଙ୍କ ନିର୍ଦ୍ଦେଶରେ ଅହମଦାବାଦ୍‌ରେ ପହଞ୍ଚିଲେ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ ଏବେ ଦେଶରେ ଦ୍ବିତୀୟ ରାଜ୍ୟ ଭାବେ ଗୁଜରାଟରେ ସଂକ୍ରମଣ ବଢ଼ୁଛି। ମହାରାଷ୍ଟ୍ରର ମୁମ୍ବାଇ ପରି ଏବେ ଗୁଜରାଟର ଅହମଦାବାଦ୍‌ ସହର ଚିନ୍ତା ବଢ଼ାଇଛି। ତେଣୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ କ୍ରମେ ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ ଆଜି ଅହମଦାବାଦ୍ ସିଭିଲ୍‌ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି ଏବଂ ଡାକ୍ତରମାନଙ୍କ ସହ କଥା ହୋଇଛନ୍ତି। ଗୁଲେରିଆ ଡାକ୍ତରମାନଙ୍କୁ କରୋନା ଚିକିତ୍ସା ସଂକ୍ରାନ୍ତରେ ପରାମର୍ଶ ଦେଇଛନ୍ତି। ଡ. ଗୁଲେରିଆଙ୍କ ସହ ଏମ୍ସ ମେଡିସିନ୍‌ ବିଭାଗର ଅନ୍ୟ ଜଣେ ଡାକ୍ତର ମନୀଷ ସୁରେଜା ମଧ୍ୟ ଅହମଦାବାଦ୍‌ ଯାଇଥିଲେ। ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୁଲେରିଆ ଏବଂ ଡ. ସୁରେଜା ଗତକାଲି ଏକ ସ୍ବତନ୍ତ୍ର ବିମାନ ଯୋଗେ ଅହମଦାବାଦ୍‌ ଯାଇଥିଲେ।

ଗୁଜରାଟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୪୦୩ ଥିବାବେଳେ ମୃତ୍ୟୁସଂଖ୍ୟା ୪୪୯ ରହିଛି। ‌ତେବେ ଗୁଜରାଟ୍‌ର ମୋଟ୍‌ ମାମଲାରୁ କେବଳ ୭୧ ପ୍ରତିଶତ ଅହମଦାବାଦ୍‌ରୁ ଚିହ୍ନଟ ହୋଇଛି। ଏଥିସହ ଗୁଜରାଟର ମୋଟ୍‌ ମୃତ୍ୟୁସଂଖ୍ୟାର ୭୫ ପ୍ରତିଶତ ଅହମଦାବାଦ୍‌ରୁ ରେକର୍ଡ କରାଯାଇଛି। ଅହମଦାବାଦ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୫,୨୬୦ ଥିବାବେଳେ ୩୪୩ ଜଣଙ୍କ ମୃତ୍ୟୁ ହୋଇଛି। ଅହମଦାବାଦ୍‌ରେ ସ୍ଥିତି ଜଟିଳ ହେଉଥିବାରୁ ଗତ ଶୁକ୍ରବାର ମଧ୍ୟରାତ୍ରିରୁ ସପ୍ତାହେ ପର୍ଯ୍ୟନ୍ତ ଅହମଦାବାଦ୍‌ରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର