ନୂଆଦିଲ୍ଲୀ: ଦେଶରେ ୩ ଜାନୁଆରିରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଅଧିକାଂଶ ବିଶେଷଜ୍ଞ ସରକାରଙ୍କ ଏହି ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇ ପ୍ରଶଂସା କରିଥିବା ବେଳେ ଏମ୍ସର ଜଣେ ବରିଷ୍ଠ ମହାମାରୀ ବିଶେଷଜ୍ଞ ଏହି ନିଷ୍ପତ୍ତିକୁ ଭୁଲ୍ ବୋଲି ଦର୍ଶାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିଜ୍ଞାନସମ୍ମତ ନୁହେଁ ଏବଂ ଏଥିରୁ ବିଶେଷ ଫାଇଦା ମିଳିବ ନାହିଁ ବୋଲି ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ ଆସୋସିଏସନର ମୁଖ୍ୟ ଡାକ୍ତର ସଂଜୟ ରାୟ କହିଛନ୍ତି। ପୂର୍ବରୁ ଯେଉଁ ରାଷ୍ଟ୍ରମାନେ ପିଲାଙ୍କ ଟିକାକରଣ ଆରମ୍ଭ କରିଥିଲେ ସେହି ରାଷ୍ଟ୍ରମାନଙ୍କର ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ ନକରି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ସ୍କୁଲ ଯାଉଥିବା ପିଲାମାନଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଟିକାକରଣ ଘୋଷଣା କରିଥିବା ବେଳେ ଡାକ୍ତର ରାୟ କହିଛନ୍ତି ଯେ ଏଭଳି ନିଷ୍ପତ୍ତି ତାଙ୍କୁ ନିରାଶ କରିଛି। ଅନେକ ଦେଶରେ ବୁଷ୍ଟର ଡୋଜ୍ ଦିଆଯିବା ସତ୍ତ୍ବେ ସଂକ୍ରମଣ ଭୟାନକ ଭାବେ ବଢ଼ିଚାଲିଛି। ଅନ୍ୟପକ୍ଷରେ ପିଲାଙ୍କ କ୍ଷେତ୍ରରେ ସଂକ୍ରମଣ ଜଟିଳ ହେଉନଥିବାରୁ ବର୍ତ୍ତମାନ ସ୍ଥିତିରେ ଟିକାକରଣ ଆରମ୍ଭ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
ପିଲାଙ୍କ ଟିକାକରଣ ନିଷ୍ପତ୍ତିକୁ ଭୁଲ୍ କହିଲେ ଏମ୍ସ ବିଶେଷଜ୍ଞ
ଅନ୍ୟ ରାଷ୍ଟ୍ରର ସ୍ଥିତି ଆକଳନ କରି ନିଷ୍ପତ୍ତି ନିଆଯାଇ ନାହିଁ
/sambad/media/post_attachments/wp-content/uploads/2021/12/children-vaccine.jpg)