ଉତ୍ତର ଭାରତରେ ପାରଦ ଖସୁଛି: ଦିଲ୍ଲୀରେ ବାୟୁମାନ ଅତି ଖରାପ, ନଏଡ଼ାରେ ସାଂଘାତିକ

ନୂଆଦିଲ୍ଲୀ : ଶୀତର ଆଗମନ ପରେ ବୁଧବାର ଦିଲ୍ଲୀ ସହର ବହଳ ସ୍ମଗ୍ (ଧୂଆଁ ମିଶ୍ରିତ କୁହୁଡ଼ି)ର କମ୍ବଳ ତଳେ ଘୋଡ଼େଇ ହେବାର ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀର ବାୟୁମାନ କ୍ରମାଗତ ଭାବେ ଖରାପ ହୋଇ ବର୍ତ୍ତମାନ ‘ଅତି ଖରାପ’ (ଭେରି ପୁଅର୍) ସ୍ତରରେ ରହିଛି। ଜାତୀୟ ରାଜଧାନୀର ହାରାହାରି ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ବୁଧବାର ୩୩୨ ରହିଛି ଯାହା ଅତି ଖରାପ ସ୍ତରର ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ମଧ୍ୟ ଏହା ଅତି ଖରାପ (୩୪୬) ଥିଲା। ଦିଲ୍ଲୀର କେତେକ ଅଞ୍ଚଳରେ ବାୟୁମାନ ଏହି ସ୍ତରରେ ରହିଥିବା ବେଳେ ଧୀରପୁର ଅଞ୍ଚଳରେ ‘ସାଂଘାତିକ’ (ସିଭିୟର) ସ୍ତରରେ ରହିଛି ଯେଉଁଠି ଏକ୍ୟୁଆଇ ୪୬୦ ରହିଛି। ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍)ରେ ମଧ୍ୟ ବାୟୁମାନ ଅତ୍ୟନ୍ତ ଖରାପ। ନଏଡ଼ାରେ ଏହା ସାଂଘାତିକ ସ୍ତରରେ ରହିଛି ଯେଉଁଠି ଏକ୍ୟୁଆଇ ୪୩୮ ରହିଛି। ମଙ୍ଗଳବାର ଏହା ୩୯୧ ଥିଲା। ଗୁରୁଗ୍ରାମରେ ବାୟୁମାନ ଅତି ଖରାପ (୩୩୯) ସ୍ତରରେ ରହିଛି।

ସୂଚନାଯେଗ୍ୟ, ବାୟୁମାନ ସୂଚକାଙ୍କ ୦ରୁ ୫୦ ଭିତରେ ରହିଲେ ଭଲ, ୫୧ରୁ ୧୦୦ ଭିତରେ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ଭିତରେ ହେଲେ ମଧ୍ୟମ, ୨୦୧ରୁ ୩୦୦ ଭିତରେ ହେଲେ ଖରାପ, ୩୦୧ରୁ ୪୦୦ ଭିତରେ ହେଲେ ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ହେଲେ ତାକୁ ସାଂଘାତିକ କୁହାଯାଏ। ଶୀତର ଆଗମନ ସହ ଉତ୍ତରଭାରତରେ କେତେକ ସ୍ଥାନରେ ପ୍ରବଳ ଥଣ୍ଡା ସହିତ ତୁଷାରପାତ ହେବାର ବି ଦେଖିବାକୁ ମିଳୁଛି। ଏଥି ସହ ବାୟୁମାନରେ ହ୍ରାସ ଘଟିବା ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର