ଗଣତନ୍ତ୍ର ଦିବସରେ ପ୍ରଥମ ଥର ଲାଗି ଷ୍ଟଣ୍ଟ୍‌ ଦେଖାଇଲେ ବିଏସ୍‌ଏଫ୍‌ ସୀମା ଭବାନୀ ଟିମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ରାଜପଥରେ ଆଜି ସାଧାରଣତନ୍ତ୍ର ଦିବସରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଦେଶ ପାଳନ କରୁଛି ୬୯ତମ ଗଣତନ୍ତ୍ର ଦିବସ। ୧୯୫୦ ମସିହା ଜାନୁଆରି ୨୬ ଅର୍ଥାତ ଆଜିର ଦିନରେ ଦେଶ ପାଇଁ ନୂତନ ସମ୍ବିଧାନ ପ୍ରଣୟନ ହୋଇଥିଲା। ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ଲାଗି ଆସିଆନ ଦେଶର ରାଷ୍ଟ୍ରମୁଖ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ଷ୍ଟଂଟ୍‌ ପ୍ରଦର୍ଶନ କରିଛନ୍ତି ବିଏସଫର ମହିଳା ବାଇକର୍ସ। ଦିଲ୍ଲୀ ରାଜପଥରେ ଦେଖାଇଛନ୍ତି ଦୁଃସାହସିକ ଷ୍ଟଂଟ୍‌। ବିଏସଏଫ ମହିଳା ଶାଖାର ଡେୟାରଡେଭିଲ୍‌ସ ଟିମ୍‌ ସୀମା ଭବାନୀ ଏହି ଷ୍ଟଂଟ୍‌ ପ୍ରଦର୍ଶନ କରିଛନ୍ତି। ୨୫ ରୁ ୩୦ ବର୍ଷର ୨୭ଜଣ ମହିଳା ବାଇକ୍‌ ଉପରେ ବିଭିନ୍ନ ଆକର୍ଷଣୀୟ ଷ୍ଟଂଟ୍‌ କରିଛନ୍ତି। ଏହି ଟିମରେ ୧୫ ଜଣ ବିବାହିତା ମହିଳା ମଧ୍ୟ ସାମିଲ ଅଛନ୍ତି। ଜମ୍ମୁ-କଶ୍ମୀର ଲଦାଖ ଅଂଚଳର ଇନ୍‌ସପେକ୍ଟର ଷ୍ଟାଞ୍ଜିନ୍‌ ନୋରୟାଙ୍ଗ୍‌ ସୀମା ଭବାନୀ ଟିମର ନେତୃତ୍ୱ ନେଇଛନ୍ତି। ରୟାଲ ଏନଫିଲ୍‌ଡ ବୁଲେଟଉପରେ ବିଭିନ୍ନ ଦୁଃସାହସିକ କ୍ରିଡା କୌଶଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ତଥା ବିଦେଶୀ ଅତିଥିଙ୍କୁ ଚକିତ କରିଛନ୍ତି ବିଏସଏଫର ଏହି ମହିଳା ଟିମ। ୭୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ମହିଳା ସୁରକ୍ଷାକର୍ମୀମାନେ ଏଭଳି ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଆଜିର ସଧାରଣତନ୍ତ୍ର ଦିବସରେ ୧୦ ଆସିଆନ ଦେଶର ରାଷ୍ଟ୍ରମୁଖ୍ୟ ମୁଖ୍ୟ ଅତିଥି ହୋଇଛନ୍ତି। ଆସିଆନ ଦେଶରେ ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିଫାଇନସ, ସିଙ୍ଗାପୁର, ମିଆଁମାର, କାମ୍ବୋଡିଆ, ଲାଓସ ଓ ବ୍ରୁନେଇ ସାମିଲ ହୋଇଥିଲେ। ଏଥିଲାଗି ରାଜପଥରେ ହେବାକୁ ଥିବା ପରେଡକୁ ଏଥର ଖାସ କରାଯାଥିଲା। ପରେଡର ଆରମ୍ଭ ୧୦ ଆସିଆନ ଦେଶର ଜାତୀୟ ପତାକା ସହ ହୋଇଥିଲା। ଏଥିରେ ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପ୍ରଜ୍ଞାପନ ମେଢ ସାମିଲ ହୋଇଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ସହ ମହାରାଷ୍ଟ ଓ ଗୁଜରାଟର ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲା।

ଆଜିର ପରେଡରେ ଆକର୍ଷଣ ଥିଲା ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ। ଏହା ସହ ର୍ନିଭୟ, ଆକାଶ, ଭୀଷ୍ମ ଟ୍ୟାଙ୍କ ଓ ଅନ୍ୟ ସ୍ୱଦେଶୀ ରାଡାର ବି ପ୍ରଦର୍ଶିତ ହୋଇଛି। ଏଥି ମଧ୍ୟରେ ରହିଛି ୨୧ ଯୁଦ୍ଧ ବିମାନ, ୧୨ ହେଲିକପ୍ଟଟ, ଓ ୧ ଟ୍ରାନ୍‌ସପୋର୍ଟ ଏୟାରକ୍ରାଫଟ। ଯୁଦ୍ଧ ବିମାନ ମଧ୍ୟରେ ରହିଛି ସୁଖୋଇ, ତେଜସ୍‌ ଓ ମିଗ୍‌-୨୯। ପରେଡରେ ସେନା ସହ ପଞ୍ଜାବ ରେଜିମେଂଟ, ମରାଠା ଲାଇଟ ଫେକ୍ଟ୍ରି, କୋଷ୍ଟଗାର୍ଡ, ବିଏସଏଫ ବି ସାମିଲ ହୋଇଥିଲେ। ସାଧାରଣତନ୍ତ୍ର ଦିବସ ଅବସରରେ ଦେଶ ଜଣାଇଛି ସହିଦଙ୍କୁ ସମ୍ମାନ। ଅମର ଯବାନ ଜ୍ୟୋତିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଷ୍ପଗୁଚ୍ଛ ଦେଇ ବୀର ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ର୍ନିମଳା ସୀତାରମଣ ମଧ୍ୟ ଉପସ୍ଥିତ ରହି ଅମରସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନା ମୁଖ୍ୟ ମଧ୍ୟ ଅମର ଯବାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧା ସୁମନଅର୍ପଣ କରିଛନ୍ତି। ସେହିପରି ସୀମାରେ ପାଳିତ ହୋଇଛି ଗଣତନ୍ତ୍ର ଦିବସ। ସେନା ପକ୍ଷରୁ ସୀମାନ୍ତରେ ହୋଇଛି ପତାକା ଉତ୍ତୋଳନ। ଅଟ୍ଟାରୀ-ୱାଘା ବର୍ଡରରେ ବିଏସଏଫ ପକ୍ଷରୁ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ। ଶୀତୁଆ ସକାଳରେ ପ୍ରବଳ କୁହୁଡି ସତ୍ତ୍ୱେ ବେଶ୍‌ ଉତ୍ସାହର ସହ ସାଧାରଣତନ୍ତ୍ର ଦିବସ ପାଳିଛନ୍ତି ବିଏସଏଫ ଯବାନ। ମିଠା ଖୁଆଇବା ସହ ଯବାନମାନେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର