ଆମେରିକୀୟମାନେ ଆଫଗାନିସ୍ତାନରୁ ଫେରିବା ପର୍ଯ୍ୟନ୍ତ ସେନା ରହିବ: ବାଇଡେନ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ଫେରିବା ପର୍ଯ୍ୟନ୍ତ ସେଠାରେ ପ୍ରାୟ ୬ ହଜାର ଆମେରିକୀୟ ସୈନ୍ୟ ମୁତୟନ ରହିବେ। ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଆମେରିକୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହେଉଛି ଏବଂ ସୁରକ୍ଷା ଦୃଷ୍ଟିରୁ ସେ ପର୍ଯ୍ୟନ୍ତ ସେନା ମୁତୟନ ଜାରି ରହିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଗତ ରବିବାର ଆଫଗାନ ରାଷ୍ଟ୍ରପତି ଅସରଫ ଘନିଙ୍କ ପଳାୟନ ପରେ ତାଙ୍କ ସରକାରର ପତନ ହୋଇଥିଲା ଏବଂ ତାଲିବାନ ବିଜୟ ଘୋଷଣା କରିଥି‌ଲା।

ଏହାପରେ ଅନ୍ୟ ଦେଶମାନଙ୍କ ଭଳି ଆମେରିକା ମଧ୍ୟ ନିଜର ନାଗରିକଙ୍କୁ ଆଫଗାନିସ୍ତାନରୁ ଫେରାଇ ନେବାକୁ ପ୍ରକ୍ରିୟା ଜାରି ରଖିଛି। ହଜାର ହଜାର ଆମେରିକୀୟ ନାଗରିକ, ସ୍ଥାନୀୟ ଦୂତାବାସ କର୍ମଚାରୀ ଏବଂ ସେମାନଙ୍କ ପରିବାର ସମେତ ସେଠାରେ ରହୁଥିବା ଅନ୍ୟ ଆମେରିକୀୟଙ୍କୁ ବିମାନ ଯୋଗେ ଫେରାଇ ଆଣିବାକୁ ଉଦ୍ୟମ ହେଉଛି। ଆଫଗାନରେ ମୁତୟନ ଆମେରିକା ସେନା ମଧ୍ୟ ବିପଦମୁକ୍ତ ନୁହନ୍ତି। ବିମାନବନ୍ଦରରେ ନିରାପତ୍ତା ସ୍ଥିତି ନେଇ କେତେବେଳେ କ’ଣ ଘଟିବ କହିହେବ ନାହିଁ। ଏବେ ସେଠାରେ ମୁତୟନ ଆମେରିକା ଓ ବ୍ରିଟିସ୍‌ ସୈନିକମାନଙ୍କୁ ଧମକ ମିଳୁଛି ଏବଂ ତାଲିବାନଙ୍କ ନିର୍ଦ୍ଦେଶରେ ସେମାନେ ପରିଚାଳିତ ହେବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର