ନୂଆଦିଲ୍ଲୀ : ଦିଲ୍ଲୀରେ ଶାସକ ଆପ୍‌ କେନ୍ଦ୍ରର ସର୍ଭିସ ଅର୍ଡିନାନ୍ସ ( ସେବା ଅଧ୍ୟାଦେଶ) ବିରୋଧରେ ଘରକୁ ଘର ପ୍ରଚାର କରିବ ଏବଂ ଜୁନ୍‌ ୧୧ ତାରିଖରେ ଦିଲ୍ଲୀର ରାମଲିଳା ମଇଦାନରେ ଏହା ଏକ ରୢାଲି କରିବ। ଦିଲ୍ଲୀରେ ପ୍ରଶାସନିକ ସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ କ୍ଷମତାକୁ ପୁନଶ୍ଚ ଫେରାଇ ଆଣିବାପାଇଁ ଗତ ସପ୍ତାହରେ ଅଣାଯାଇଥିବା ଏହି ଅଧ୍ୟାଦେଶ ବିରୋଧରେ ଜନମତ ସଂଗ୍ରହ ପାଇଁ ଆପ୍‌ ଘରକୁ ଘର ପ୍ରଚାର ଆରମ୍ଭ କରିବ। ଆପ୍‌ ନେତା ଗୋପାଳ ରାୟ କହିଛନ୍ତି, ଏହି ଅଧ୍ୟାଦେଶକୁ ରାଜ୍ୟସଭାରେ ଗୃହୀତ କରାଇବାପାଇଁ ଉପସ୍ଥାପନ କରିବା ସମୟରେ ଏହାକୁ ବିରୋଧ କରାଯିବ ଏବଂ ଏଥିସହ ଏହି ପ୍ରଚାର ଅଭିଯାନ ଚାଲିବ। ଲୋକସଭାରେ ବିଜେପିର ସଂଖ୍ୟାଗରିଷ୍ଠତାର ଅଛି। ତେଣୁ ଆମେ ରାଜ୍ୟସଭାରେ ଏହି ବିଲ୍‌କୁ ଗୃହୀତ କରାଇ ନଦେବାପାଇଁ ସମସ୍ତ ବିରୋଧୀ ଦଳଙ୍କୁ ଯୋଗାଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆମକୁ କହିଛନ୍ତି ବୋଲି ଗୋପାଳ ରାୟ ସୂଚନା ଦେଇଛନ୍ତି। ରବିବାର ଦିନ ‌କେଜ୍ରିୱାଲ ତାଙ୍କ ବିହାର ପ୍ରତିପକ୍ଷଙ୍କ ସହ ବୈଠକ କରିଥିଲେ। ନିର୍ବା‌ଚିତ ସରକାରଙ୍କଠାରୁ କ୍ଷମତା ଛଡ଼ାଇ ନିଆଯାଉଛି ବୋଲି କେଜ୍ରିୱାଲ ଦାବି କରିଛନ୍ତି। ଏହି ଅଧ୍ୟାଦେଶକୁ ଗୃହୀତ ନକରିବାପାଇଁ ସେ ଅଣ ବିଜେପି ଦଳ ଗୁଡ଼ିକର ସମର୍ଥନ ଚାହିଛନ୍ତି। ନୀତୀଶ କୁମାର କେଜ୍ରିୱାଲଙ୍କୁ ଏଥିପାଇଁ ସମର୍ଥନ ପ୍ରଦାନ କରିଛନ୍ତି।