ନୂଆଦିଲ୍ଲୀ: ୨୦୧୮ ମସିହାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇ ପରକୀୟା ପ୍ରୀତିକୁ ଅପରାଧ ଶ୍ରେଣୀରୁ ବାହାର କରିଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କର ଏହି ରାୟ ସେନାବାହିନୀରେ ଲାଗୁ ହେବନି ଏବଂ ସେନା ନିଜସ୍ବ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବ ବୋଲି ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ଜଷ୍ଟିସ କେଏମ୍‌ ଯୋସେଫଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ରାୟ ସେନାବାହିନୀରେ ପ୍ରଚଳିତ ଥିବା ଆଇନ ବ୍ୟବସ୍ଥା କ୍ଷେତ୍ରରେ ଲାଗୁ ହେବନାହିଁ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ୨୦୧୮ ମସିହାରେ ଏକ ରାୟ ଦେଇ ଆଇପିସିର ଧାରା ୪୯୭କୁ ରଦ୍ଦ କରି ଦେଇଥିଲେ ଏବଂ ପରକୀୟା ପ୍ରୀତିକୁ ଅପରାଧ ଶ୍ରେଣୀରୁ ବାହାର କରିଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କର ଏହି ରାୟକୁ ‌ସେନାବାହିନୀରେ ଲାଗୁ ନକରିବାପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Advertisment

ଏହାଦ୍ବାରା ପରକୀୟା ପ୍ରୀତିରେ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବାଧା ସୃଷ୍ଟି ହେବ ଏବଂ ଏହା ସେନାରେ ଅସ୍ଥିରତାର କାରଣ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ମାଧବୀ ଦିବନ ସୁପ୍ରିମକୋର୍ଟରେ ଏକ ଆବେଦନ କରି ସୁପ୍ରିମକୋର୍ଟଙ୍କ ୨୦୧୮ ରାୟ ଉପରେ ସ୍ପଷ୍ଟୀକରଣ ମାଗିଥିଲେ। ଜଷ୍ଟିସ କେଏମ ଯୋ‌ସେଫ, ଅଜୟ ର‌ସ୍ତୋଗି, ଅନିରୁଦ୍ଧ‌ ‌ବୋସ, ହୃଷିକେଶ ରାୟ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ ଉକ୍ତ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି, ୨୦୧୮ ମସିହାର ରାୟ ସେନା କ୍ଷେତ୍ରରେ ଲାଗୁ ହେବନି। ସେନା ଏହାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।