ଚୀନ ସେନାର ଗତିବିଧି ଉପରେ ପ୍ରତିକ୍ରିୟା ରଖିଲେ ସେନାମୁଖ୍ୟ, ଭାରତୀୟ ସେନା ପଛକୁ ହଟିନାହିଁ

ଏଲ୍‌ଏସିରେ ଏବେ ବି ୬୦ ହଜାର ସୈନିକ

ନୂଆଦିଲ୍ଲୀ: ଚୀନର ସେନାବାହିନୀ ଏବେ ଏହାର ପ୍ରଶିକ୍ଷଣ କ୍ଷେତ୍ରରେ ଗତିବିଧି ବଢ଼ାଇଛି। ଚୀନ ସେନାର ଏହି ଗତିବିଧି ବୃଦ୍ଧିକୁ ନେଇ ଭାରତ ବିଶେଷ ସତର୍କତା ଅବଲମ୍ବନ କରିଛି। ସେନାମୁଖ୍ୟ ଏମ ଏମ ନରବଣେ କହିଛନ୍ତି ଯେ ଚୀନ୍‌ ସେନା ତାହାର ବାର୍ଷିକ ସମରାଭ୍ୟାସ କରୁଛି। ଅନ୍ୟପକ୍ଷରେ ଆମ ସେନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସବୁ ସମୟରେ ମୁତୟନ ଅଛନ୍ତି। କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଏବଂ ଶତ୍ରୁର ଗତିବିଧିକୁ ନିଷ୍ପ୍ରଭ କରିବା ପାଇଁ ତାହା ପର୍ଯ୍ୟାପ୍ତ ‌ବୋଲି ନରବଣେ କହିଛନ୍ତି।

ଏକ ସାକ୍ଷାତ୍‌କାରରେ ନରବଣେ କହିଛନ୍ତି, ପୂର୍ବ ଲଦାଖର ପାଙ୍ଗଙ୍ଗ୍‌ ସୋ ହ୍ରଦ ଅଂଚଳରେ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ତେଣୁ ସଂଘର୍ଷରୁ ବିରତ ରହିବା ଅର୍ଥ ସେନା ପଛକୁ ହଟିନାହିଁ। ଚୀନ ସୀମାରେ ଭାରତ ଯଥାରୀତି ସୈନ୍ୟ ମୁତୟନ ଜାରି ରଖିବ। ପୂର୍ବ ଲଦାଖ କ୍ଷେତ୍ରରେ ଏବେ ପାଖାପାଖି ୫୦ ହଜାରରୁ ୬୦ ହଜାର ସୈନିକ ମୁତୟନ ଅଛନ୍ତି ବୋଲି ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ ଏବେ କୌଣସି ଉତ୍ତେଜନା ନାହିଁ ବୋଲି ନରବଣେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର