ମହାମାରୀ ସହଜରେ ଯିବନି, ସେନା ସହାୟତା ପାଇଁ ସଦା ପ୍ରସ୍ତୁତ: ସେନା ମୁଖ୍ୟ ନରବଣେ

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଓମିକ୍ରନ୍ ଭାରିଆଣ୍ଟର ଉଦ୍ଭବ ଓ ଏହାର ବ୍ୟାପକ ସଂକ୍ରମଣ ପରିପ୍ରେକ୍ଷୀରେ ମହାମାରୀ-ଜନିତ ବିପର୍ଯ୍ୟୟ ପରିଚାଳନାର ଅଂଶ ସ୍ବରୂପ ପାନେକ୍ସ-୨୧ ଡିସେମ୍ବର ୨୦ରୁ ୨୨ ମଧ୍ୟରେ ପୁଣେରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ମଙ୍ଗଳବାର କହିଛନ୍ତି ଯେ, ମହାମାରୀ ଏତେ ଶୀଘ୍ର ସମ୍ପୂର୍ଣ୍ଣ ଦୂର ହେବା ସମ୍ଭାବନା ଦେଖାଯାଉନାହିଁ। ଆମକୁ ଏହା ବିରୋଧରେ ଲଢ଼େଇ କରି ବଞ୍ଚିବାକୁ ପଡ଼ିବ।

୨୦୨୦-୨୧ ମହାମାରୀ ସମୟରେ ସେନା ପକ୍ଷରୁ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରାଯାଇଥିଲା ଏବଂ ଆଗକୁ ମଧ୍ୟ ପ୍ରୟୋଜନ ଅନୁପାତିକ ସହଯୋଗ କରାଯିବ। ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଉଦ୍ଧାର ଆଦି କାର୍ଯ୍ୟରେ ସେନା ସହାୟତା କରିଆସିଛି ବୋଲି ନରବଣେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିମ୍‌ଷ୍ଟେକ୍ (ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର୍ ମଲ୍ଟି-ସେକ୍ଟରାଲ ଟେକ୍ନିକାଲ ଆଣ୍ଡ୍ ଇକୋନମିକାଲ୍ କୋ-ଅପରେସନ) ଦେଶସମୂହ ଯଥା ବାଂଲାଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା, ମିଆଁମାର, ଥାଇଲାଣ୍ଡ ଓ ଭାରତ ଯୋଗ ଦେବେ।

ମହାମାରୀ ସମୟରେ ରିଲିଫ ଓ ଅନ୍ୟାନ୍ୟ ସହାୟତା କିପରି ପ୍ରଦାନ କରାଯିବ ସେ ନେଇ ଆଲୋଚନା ହେବ। ଯଦି କୌଣସି ଦେଶ ଜୈବିକ ଯୁଦ୍ଧ ମଧ୍ୟ କରେ ସେ ପରିସ୍ଥିତିରେ ଦେଶବାସୀଙ୍କୁ କିପରି ଭୂତାଣୁ ଓ ରୋଗ କବଳରୁ ବଞ୍ଚାଯାଇପାରିବ ସେ ନେଇ ଆଲୋଚନା କରାଯିବ ବୋଲି ନରବଣେ କହିଥିଲେ। ବିପର୍ଯ୍ୟୟ ପରିଚାଳନା ଉପରେ ଡିସେମ୍ବର ୨୦ରୁ ୨୨ ମଧ୍ୟରେ ପୁଣେରେ ଅନୁଷ୍ଠିତ ହେବାକୁ ଥିବା ପାନେକ୍ସ-୨୧ ଏକ୍ସରସାଇଜରେ ଜେନେରାଲ ନରବଣେ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ସିଡିଏସ୍ ଜେନେରାଲ ବିପିନ ରାୱତ ଏବଂ ବିମ୍‌ଷ୍ଟେକ୍ ଦେଶସମୂହର ପ୍ରତିନିଧିମାନେ ଯୋଗ ଦେବେ। କୌଣସି ଦେଶରେ ବିପର୍ଯ୍ୟୟ ଦେଖାଦେଲେ ସମସ୍ତ ସହଯୋଗୀ ରାଷ୍ଟ୍ର ସହାୟତାର ହାତ ବଢ଼ାଇବା ଆବଶ୍ୟକ ବୋଲି ନରବଣେ କହିଥିଲେ।

ସମ୍ବନ୍ଧିତ ଖବର