ନୂଆଦିଲ୍ଲୀ : ଭାରତୀୟ ସେନା ଏବେ ଉପନିବେଶ ସମୟର ରୀତିନୀତି ଏବଂ ପ୍ରତୀକଗୁଡ଼ିକୁ ହଟାଇବାକୁ ଯୋଜନା କରିଛି। ଚଳିତ ମାସ ଆରମ୍ଭରେ ନୌସେନା ଏକ ନୂତନ ପତାକା ଗ୍ରହଣ କରିବା ସହ ବ୍ରିଟିସ୍ ସମୟର ପତାକାକୁ ପରିତ୍ୟାଗ କରିଛି। ଏହା ସହିତ ଭାରତୀୟ ସେନା ବ୍ରିଟିସ ଶାସନ ସମୟର ବିଭିନ୍ନ ପ୍ରତୀକ ଏବଂ ରୀତିନୀତିକୁ ସମୀକ୍ଷା କରିବା ଆରମ୍ଭ କରିଛି। ସେନାରୁ ଏଗୁଡ଼ିକୁ ଯଥାସମ୍ଭବ ବାଦ ଦେବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୁଣା ପରମ୍ପରା ହଟାଇବା ପାଇଁ ଦୁଇ ବର୍ଷରୁ ଅଧିକ ସମୟ ଧରି ଆଲୋଚନା ଚାଲିଥିବା ବେଳେ ଅନେକ ପରମ୍ପରାକୁ ଇତିମଧ୍ୟରେ ଭାଙ୍ଗି ତା’ ସ୍ଥାନରେ ନୂତନ ନିୟମ ଲାଗୁ ହୋଇଛି। ଗତ ବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନା ବାହିନୀର ନୀତି, ପ୍ରଣାଳୀ ଏବଂ ରୀତିନୀତି ବିଷୟରେ ଗୁରୁତ୍ବାରୋପ କରିବା ସହିତ ମିଳିତ କମାଣ୍ଡର ସମ୍ମିଳନୀରେ ସାମରିକ ଉପକରଣରେ ସ୍ୱଦେଶୀକରଣକୁ ସର୍ବାଧିକ ଗୁରୁତ୍ବ ଦେଇଥିଲେ। ଏବେ ବି ସେନାରେ ବ୍ରିଟିସ୍ ସମୟର ଅନେକ ପରମ୍ପରା, ୟୁନିଫର୍ମ ଏବଂ ନିୟମ କାଏମ ରହିଥିବାରୁ ତାହାକୁ ହଟାଇବା ପାଇଁ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ।
ସେନା ବାହିନୀରେ ଉପନିବେଶ ଯୁଗର ନାମ କିମ୍ବା ସଙ୍କେତ ନୂଆ ଭାରତରେ ଆଉ ପ୍ରାସଙ୍ଗିକ ନୁହେଁ। ସ୍ବାଧୀନତା ପୂର୍ବର ଯୁଦ୍ଧ ସମ୍ମାନର ମଧ୍ୟ ସମୀକ୍ଷା କରି ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା ହୋଇଛି । ବିଭିନ୍ନ ନିଯୁକ୍ତି ସମାରୋହ, ସମ୍ମାନ ସମାରୋହ, ବିଟିଂ ରିଟ୍ରିଟ ଏବଂ ଅନ୍ତିମ ସଂସ୍କାର ସଂକ୍ରାନ୍ତ ନିୟମରେ ମଧ୍ୟ ସେନା ପରିବର୍ତ୍ତନ ଆଣିବାକୁ ଯୋଜନା କରିଛି । ସେନାର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଏ ବାବଦରେ ହୋଇଥିବା ଆଭ୍ୟନ୍ତରୀଣ ଆଲୋଚନା ଆଧାରରେ ଖୁବ୍ଶୀଘ୍ର କେତେକ ବିଜ୍ଞପ୍ତି ଜାରି ହେବ।