ଇମ୍ଫାଲ : ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣା ନେଇ ଆଜି ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଦଙ୍ଗାରେ ସାମିଲ ଥିବା ପ୍ରାୟ ୧ ହଜାର ଲୋକଙ୍କ ଭିଡ଼ ପୁଲିସ ସୁରକ୍ଷା ବଳୟରୁ ୨ଟି ପରିବାରର ୫ ଜଣଙ୍କୁ ଉଠାଇ ନେଇଥିଲେ ଏବଂ ସେମାନଙ୍କ ମଧ୍ୟରେ ଦୁଇ ପୀଡ଼ିତା ମଧ୍ୟ ଥିଲେ। ରାଜ୍ୟରେ ଭୀଷଣ ଦଙ୍ଗା ସମୟରେ ଉଭୟ କୁକି ଓ ମୈତେୟୀ ସଂପ୍ରଦାୟକୁ ଟାର୍ଗେଟ୍ କରି ଅନେକ ମିଥା ଭିଡିଓ ଘୂରି ବୁଲୁଥିଲା ଏବଂ ଏହା ହିଂସାକୁ ବଢ଼ାଉଥିଲା। ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖରେ ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଥିଲା। ପୁଲିସ ଅନୁଯାୟୀ ୨ ପୀଡ଼ିତା ମହିଳା ହେଉଛନ୍ତି ଏକ କ୍ଷୁଦ୍ର ଗୋଷ୍ଠୀର। ମେ’ ୪ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜୋରଦାର ହିଂସା ହେବାପରେ ଏକ ଗୋଷ୍ଠୀରୁ ୨ ମହିଳାଙ୍କ ସମେତ ୫ ଜଣ ଲୋକ ପ୍ରାଣ ବିକଳରେ ସୁରକ୍ଷା ପାଇଁ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ। ପୁଲିସ ଅନୁଯାୟୀ ଯେଉଁ ବିଶୃଙ୍ଖଳ ଜନତା ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଛନ୍ତି ସେମାନେ ଉକ୍ତ ପରିବାରକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ୍ କରିଥିଲେ ।
ହିଂସାକାରୀମାନେ ସେମାନଙ୍କ ଗ୍ରାମରେ ପ୍ରଥମେ ଚଢ଼ଉ କରିଥିଲେ ଏବଂ ଜଙ୍ଗଲ ଆଡ଼କୁ ଯାଇଥିବା ଗୋଷ୍ଠୀକୁ ପିଛା କରିଥିଲେ। ଏହି ଗୋଷ୍ଠୀରେ ୨ ଜଣ ପୁରୁଷ ଏବଂ ୩ ଜଣ ମହିଳା ଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର। ଜଣେ ୫୬ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କ ୧୯ ବର୍ଷର ପୁଅ ଓ ୨୦ ବର୍ଷର ଝିଅ। ସେମାନଙ୍କ ସହ ଅନ୍ୟ ୨ ଜଣ ମହିଳା ମଧ୍ୟ ଥିଲେ। ଜଣଙ୍କ ବୟସ ୪୨ ଏବଂ ଅନ୍ୟ ଜଣଙ୍କର ୫୨। ନଙ୍ଗପକ ସେମକାଇ ଥାନା ନିକଟରେ ସେମାନେ ଏକ ପୁଲିସ ଟିମ୍କୁ ପାଇଥିଲେ। ପୁଲିସ ଟିମ୍ ମଧ୍ୟ ସେମାନଙ୍କୁ ସୁରକ୍ଷା ଦେଇଥିଲେ। କିନ୍ତୁ ହଠାତ୍ ୮୦୦ ରୁ ୧୦୦୦ ଜଣ ଲୋକ ସେମାନଙ୍କୁ ପୁଲିସ ସୁରକ୍ଷା ବଳୟରୁ ଉଠାଇ ନେଇଥିଲେ। ଏହାପରେ ସେମାନେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ୨ ଜଣଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ।