ଆକ୍ରମଣ ଭୟ ପାଇଁ ଆସୁନଥିଲେ, ୨୪ବର୍ଷ ପରେ ରାଜି ହେବାରୁ ଅଷ୍ଟ୍ରେଲିଆର ଏହି ଖେଳାଳିଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତ କରିଛି। ଉଭୟ ଦେଶର ସରକାର ଏବଂ ଖେଳାଳି ସଂଘ ସହ ଆଲୋଚନା କରିବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଚଳିତ ବର୍ଷ ମାର୍ଚ ୪ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାକିସ୍ତାନ ସହ ୩ ଲେଖାଏଁ ଟେ‌ଷ୍ଟ୍‌ ଓ ଦିନିକିଆ ସାଙ୍ଗକୁ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିବ ବୋଲି ଘୋଷଣା କରିଥିଲା। ହେଲେ ଏବେ ତାହା ନହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଆକ୍ରମଣ ଭୟରେ ଅଷ୍ଟ୍ରେଲିଆ ପାକିସ୍ତାନ ଆସୁନଥିବା ବେଳେ ଅନେକ ଉଦ୍ୟମ ପରେ ଆସିବା ପାଇଁ ରାଜି ହୋଇଥିଲା।

aajtak

ହେଲେ ଏବେ ଅଷ୍ଟ୍ରେଲିଆର ଜଣେ ଖେଳାଳିଙ୍କୁ ହତ୍ୟା ଧମକ ମିଳିବା ପରେ ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳିବ ନାଁ ନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ପାକିସ୍ତାନରେ ପହଞ୍ଚି ସାରିଥିବା ବେଳେ ଖେଳାଳି ଆଷ୍ଟନ୍ ଆଗରଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ସିଡନୀ ମର୍ନିଂ ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଆଷ୍ଟନ୍ ଆଗରଙ୍କ ବାନ୍ଧବୀ ମ୍ୟାଡେଲିନଙ୍କ ପାଖକୁ ଆସିଥିବା ଏକ ମେସଜରେ ଲେଖାଯାଇଛି ଯେ ଆଷ୍ଟନ୍ ପାକିସ୍ତାନକୁ ଆସିବା ଉଚିତ ନୁହେଁ, ଯଦି ସେ ପାକିସ୍ଥାନକୁ ଆସନ୍ତି ତେବେ ସେ ଜୀବିତ ଫେରିବେ ନାହିଁ।

File photo of Ashton Agar(AFP/File Photo)
hindustantimes

ଏଭଳି ମେସେଜ ଆସିବା ପରେ ମ୍ୟାଡେଲିନ୍ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଏବିଷୟରେ ଜଣାଇଛନ୍ତି। ଖବର ପାଇବା ପରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପାକିସ୍ତାନରେ ଉପସ୍ଥିତ ଥିବା ଅଷ୍ଟ୍ରେଲୀୟ ଦଳର ମୁଖପାତ୍ର ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ ଏହା ପରେ ଦଳର ସୁରକ୍ଷା ନେଇ ମଧ୍ୟ ଯାଞ୍ଚ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୪ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତରେ ଆସିଛି। ତେଣୁ ସମଗ୍ର ବିଶ୍ୱର ଆଖି ଏହା ଉପରେ ଅଛି। ୨୦୦୯ ମସିହାରେ ଶ୍ରୀଲଙ୍କା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନରେ ମାତ୍ର ୬ଟି ଟେଷ୍ଟ ମ୍ୟାଚ୍ ଆୟୋଜିତ ହୋଇଛି।

ସମ୍ବନ୍ଧିତ ଖବର