ନୂଆଦିଲ୍ଲୀ : ଭାରତୀୟମାନଙ୍କ କାର୍‌ କିଣା ବ୍ୟୟରେ ୨୦୨୨ରେ ୩୦% ବୃଦ୍ଧି ହୋଇଛି। କାର୍‌ସ୨୪ର ଏକ ରିପୋର୍ଟରେ ଦାବି କରାଯାଇଛି ଯେ କାର୍‌ କିଣିବାର ହାରାହାରି ବ୍ୟୟ ସାଢ଼େ ଚାରି ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୬ ଲକ୍ଷ ଟଙ୍କା ହୋଇଛି। ୨୦୨୨ରେ ଗ୍ରାହକମାନେ ଏକ ନୂଆ ଦୃଷ୍ଟିକୋଣ ରଖି କାର୍‌ କିଣିଥିଲେ ଯାହା ଶିଳ୍ପକୁ ଏକ ନୂଆ ଦିଗ ପ୍ରଦାନ କରିଛି ବୋଲି କଂପାନିର ସହ ପ୍ରତିଷ୍ଠାତା ଗଜେନ୍ଦ୍ର ଜଙ୍ଗିଡ୍‌ କହିଛନ୍ତି।

Advertisment

କାର୍‌ କିଣିବା ବେଳେ ଗ୍ରାହକମା‌ନେ ଏବେବି ମାଇଲେଜ୍‌କୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଗତବର୍ଷ ପ୍ରତି ଦୁଇ ମିନିଟ୍‌ରେ ଗ୍ରାହକମାନେ ମାଇଲେଜ୍ ବିଷୟରେ ଅନୁସନ୍ଧାନ କରିଥିଲେ। ଅଧିକାଂଶ ଗ୍ରାହକ ଫାଇନାନ୍ସ ମାଧ୍ୟମରେ ଗାଡ଼ି କିଣିବାକୁ ପସନ୍ଦ କରିଥିଲେ। ହାଇଦ୍ରାବାଦ, ଲକ୍ଷ୍ନୌ ଓ କୋଲକାତାରେ ଅଧିକାଂଶ ଗ୍ରାହକ ଫାଇନାନ୍ସରେ ଗାଡ଼ି କିଣିଛନ୍ତି। ନୂଆଦିଲ୍ଲୀର ଜଣେ ଗ୍ରାହକ ଗାଡ଼ି କିଣିବା ଲାଗି ସର୍ବାଧିକ ୨୫ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଗୋଟିଏରୁ ଅଧିକ କାର୍‌ କିଣିବା ଗ୍ରାହକଙ୍କ ସଂଖ୍ୟାରେ ମଧ୍ୟ ୮୧ ପ୍ରତିଶତ ବୃଦ୍ଧି ହୋଇଛି।

ଦେଶରେ ବିକ୍ରି ହୋଇଥିବା ପ୍ରତି ତୃତୀୟ କାର୍‌ ଥିଲା ମାରୁତି ସୁଜୁକିର କାର୍‌। ଏହା ପଛକୁ ରହିଥିଲେ ହୁଣ୍ଡାଇ, ହୋଣ୍ଡା, ରେନୋ ଓ ଫୋର୍ଡ। କିଆ ମଧ୍ୟ ଏକ ପସନ୍ଦର ବ୍ରାଣ୍ଡ୍‌ ଥିଲା। ଗତବର୍ଷ ଯେଉଁମାନେ କାର୍‌ କିଣିଥିଲେ ସେଥିରୁ ଅଧିକାଂଶ ଗ୍ରାହକଙ୍କ ବୟସ ୩୫ ବର୍ଷରୁ କମ୍ ଥିଲା ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି।