ରାମ ଜନ୍ମଭୂମି ଅଞ୍ଚଳରେ ମଦ-ମାଂସ ସହ ତିରୁପତିରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଚାରିପଟେ ମଦ ବିକ୍ରି ଉପରେ ଆଜିଠାରୁ ରୋକ ଲାଗିଛି । ଉତ୍ତରପ୍ରଦେଶ ସରକାର ଅଯୋଧ୍ୟା ରାମ ଜନ୍ମଭୂମି ପରିସର ଓ ଏହାର ଆଖପାଖ ଅଞ୍ଚଳରେ ମଦ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏହା ସହ ପରିବେଶର ଏବଂ ପାହାଡ଼ର ସୁରକ୍ଷା ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନେକ ପ୍ରାରମ୍ଭିକ ଚେତାବନୀ ଏବଂ ଆବେଦନ ପରେ, ତିରୁମାଲା ତିରୁପତି ଦେବସ୍ଥାନମ ପକ୍ଷରୁ ମଙ୍ଗଳବାର ଦିନ ଆସ୍ଥାନା ମଣ୍ଡପାମରେ ତିରୁମାଲାର ଦୋକାନୀ ଏବଂ ଭୋଜନ ମାଲିକଙ୍କ ସହ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ତିରୁମାଲାକୁ ପ୍ଲାଷ୍ଟିକ ମୁକ୍ତ କରାଯିବ ବୋଲି କୁହାଯାଇଥିଲା। ଏବେ ଏହି ନିଷେଧାଦେଶର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ ଦୋକାନ ମାଲିକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି।

ଅନ୍ୟପକ୍ଷରେ ୟୁପିର ଅବକାରୀ ବିଭାଗ ମନ୍ତ୍ରୀ ନିତିନ ଅଗ୍ରୱାଲ କହିଛନ୍ତି, ରାମ ଜନ୍ମଭୂମି କ୍ଷେତ୍ରରେ ଥିବା ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରାଯାଇଛି । ସନ୍ଥ ସମାଜ ଧାର୍ମିକସ୍ଥଳୀର ଆଖପାଖରେ ମଦ ଓ ମାଂସର ବିକ୍ରି ଉପରେ ପୂରା ରୋକ ଲଗାଇବା ପାଇଁ ଆବେଦନ କରିଥିଲେ । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରା ଯୋଗୀ ଆଦିତ୍ୟନାଥ ମଥୁରା-ବୃନ୍ଦାବନ କ୍ଷେତ୍ରରେ ମାଂସ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଆଦେଶ ଦେଇସାରିଛନ୍ତି ।

୨୦୨୧ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ୟୁପି ସରକାର ମଥୁରା-ବୃନ୍ଦାବନ ଅଞ୍ଚଳର ୧୦ କିମି ଭିତରେ ମଦ ଓ ମାଂସ ବିକ୍ରି ଉପରେ ରୋକ ଲଗାଇଥିଲେ । କୃଷ୍ଣତ୍ସୋବ କାର୍ଯ୍ୟକ୍ରମ ବେଳେ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଥିଲେ । ସେହିଭଳି କିଛି ଦିନ ପୂର୍ବରୁ ମଧ୍ୟ ବାରାଣସୀ, ଚିତ୍ରକୂଟ, ଦେବବନ୍ଦ, ଦେୱାସରିଫ ଅଞ୍ଚଳରେ ମଧ୍ୟ ମଦ ଓ ମାଂସ ବ୍ୟାନ କରିଥିଲା । ବର୍ତ୍ତମାନ ରାମ ଜନ୍ମଭୂମି ଅଞ୍ଚଳରେ ମଧ୍ୟ ଏହା ଉପରେ ରୋକ ଲଗାଯାଇଛି ।

ସମ୍ବନ୍ଧିତ ଖବର