ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ଟି ନୋମିନି ଯୋଡ଼ାଯାଇପାରିବ। କୋଭିଡ୍-୧୯ ମହାମାରୀ ବେଳେ ସୃଷ୍ଟି ହୋଇଥିବା ଅସୁବିଧା ପରେ ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଲରେ ଏହି ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଆକାଉଣ୍ଟଧାରୀଙ୍କ ମୃତ୍ୟୁ ପରେ ଟଙ୍କା ଉଠାଣକୁ ସହଜ କରିବା । 

Advertisment

ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ ଏକ ବ୍ୟାଙ୍କ ଖାତାରେ ସର୍ବାଧିକ ୪ ଜଣ ନୋମିନି ରଖାଯାଇପାରିବ । ନୋମିନିମାନଙ୍କୁ ଏକତ୍ରିତ ଭାବେ ରଖାଯାଇପାରିବ କିମ୍ବା ଏକ ନିର୍ଦ୍ଦିଷ୍ଟ କ୍ରମରେ ରଖାଯାଇପାରିବ । ଏକତ୍ରିତଭାବେ ରଖାଯାଇଥିବା ନୋମିନିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ରାଶି ପ୍ରଦାନ କରାଯାଇପାରିବ। ସେହିପରି ନୋମିନିମାନଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ରଖାଯାଇଥିଲେ ସେହି କ୍ରମରେ ଦାବିଦାର ନିର୍ଦ୍ଧାରଣ କରାଯିବ । 

ଏହାଛଡ଼ା ଜମାକାରୀଙ୍କୁ ଅଧିକ ସୁରକ୍ଷା ଓ ଘରୋଇ ବ୍ୟାଙ୍କରେ ଉନ୍ନତ ସେବା ଯୋଗାଇଦେବା ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି।ଏହି ବିଲ୍ ଦ୍ୱାରା ଅଣଦାବି ହୋଇଥିବା ସେୟାର, ବଣ୍ଡ୍, ଲାଭାଂଶର ସୁଧ କିମ୍ବା ରିଡେମ୍ପସନ୍ ଆୟ ଶିକ୍ଷା ଓ ସୁରକ୍ଷା ପାଣ୍ଠିକୁ ହସ୍ତାନ୍ତର କରିବାର ସୁବିଧା ହେବ। ପ୍ରସ୍ତାବିତ ଆଇନ ନିବେଶକଙ୍କ ସ୍ୱାର୍ଥର ସୁରକ୍ଷା କରିବ ଏବଂ ଟ୍ରାନ୍ସଫର ଏବଂ ରିଫଣ୍ଡ ଦାବିକୁ ସହଜ କରିବ ।