ପତ୍ନୀଙ୍କୁ ୯୦ ହଜାର ଟଙ୍କାର ମୋପେଡ ଉପହାର ଦେଲେ ଭିକାରୀ, ୪ ବର୍ଷ ଧରି ସଞ୍ଚୟ କରିଥିଲେ

ଭୋପାଳ : ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାର ଜଣେ ଭିକାରୀ ତାଙ୍କ ପତ୍ନୀଙ୍କୁ ୯୦ ହଜାର ଟଙ୍କାର ଏକ ମୋପେଡ଼ ଉପହାର ଦେଇଛନ୍ତି। ୪ ବର୍ଷ ଧରି ସେ ଏହି ଟଙ୍କା ସଞ୍ଚୟ କରିଥିଲେ ଏବଂ ଗାଡ଼ିଟିକୁ ସମ୍ପୂର୍ଣ୍ଣ ଭାବେ ନଗଦ ଟଙ୍କା ଦେଇ କିଣିଛନ୍ତି। ଛିନ୍ଦୱାଡ଼ା ଜିଲ୍ଲା ଅଧୀନସ୍ଥ ଅମରୱାଡ଼ା ଗ୍ରାମରେ ଏହି ଘଟଣା ଘଟିଛି। ଭିକାରୀ ସନ୍ତୋଷ ସାହୁ ଭିନ୍ନକ୍ଷମ। ତାଙ୍କ ଗୋଡ଼ ଅଚଳ। ସେ ଏକ ତିନି ଚକିଆ ସାଇକେଲ୍‌ରେ ବସି ଭିକ୍ଷା କରନ୍ତି। ତାଙ୍କ ପତ୍ନୀ ମୁନ୍ନି ସାହୁ ତାଙ୍କୁ ଏଥିରେ ସହଯୋଗ କରନ୍ତି। ସନ୍ତୋଷଙ୍କ ଗୋଡ଼ ଚଳୁନଥିବାରୁ ସେ କେବଳ ସାଇକେଲ୍‌ ଉପରେ ବସନ୍ତି କିନ୍ତୁ ମୁନ୍ନି ସାହୁ ସାଇକେଲ୍‌କୁ ଦିନସାରା ଠେଲି ତାଙ୍କୁ ଭିକ୍ଷା କରିବାରେ ସହଯୋଗ କରନ୍ତି। ଖରାପ୍‌ ରାସ୍ତା ଏବଂ ଖରାପ୍‌ ପାଣିପାଗ ପାଇଁ ସେମାନେ ଅନେକ ସମୟରେ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସନ୍ତୋଷଙ୍କ ପତ୍ନୀ ମାତ୍ରାଧିକ ପରିଶ୍ରମ କରି ଅନେକ ସମୟ‌ରେ ଅସୁସ୍ଥ ହୋଇପଡ଼ନ୍ତି। ମୁନ୍ନିଙ୍କ ପିଠିରେ ଯନ୍ତ୍ରଣା ହେବାରୁ ସନ୍ତୋଷ ତାଙ୍କ ପାଇଁ ଏକ ଗାଡ଼ି କିଣି‌ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗାଡ଼ି କିଣିବା ଏତେ ସହଜ ନଥିଲା। ତେବେ ସନ୍ତୋଷ ଦୀର୍ଘ ୪ ବର୍ଷ ସଞ୍ଚୟ କରିବାପରେ ପତ୍ନୀଙ୍କ ପାଇଁ ଏକ ସ୍ବତନ୍ତ୍ର ମୋପେଡ଼ କିଣିଛନ୍ତି ଯାହାକି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ। ସନ୍ତୋଷ କହିଛନ୍ତି, ଆମେ ଏହି ଗାଡ଼ିରେ ଏବେ ସିଓନି, ଭୋପାଳ ଏବଂ ଇନ୍ଦୋର ଯାଇପାରିବୁ। ଜଣେ ଭିକାରୀ ହୋଇଥିଲେ ବି ସନ୍ତୋଷ ନିଜ ପତ୍ନୀଙ୍କ ଖୁସି ପାଇଁ ଯାହା କରିଛନ୍ତି ତାହାକୁ ‌ଲୋକ ପ୍ରଶଂସା କରିଛନ୍ତି ଏବଂ ସନ୍ତୋଷଙ୍କ ଏହି କାର୍ଯ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର