ଲଣ୍ଡନ: ମହାମାରୀ କୋଭିଡ୍-୧୯ ଯୋଗୁଁ ବିଶ୍ବର ଶ୍ରେଷ୍ଠ ବାସଯୋଗ୍ୟ ସହରଗୁଡ଼କର ମାନ୍ୟତା ଦୋହଲିଯାଇଛି। ଏଥି ସହିତ ପୂର୍ବରୁ ୟୁରୋପୀୟ ଦେଶମାନଙ୍କରେ ରହିଥିବା ସେଭଳି ଶୀର୍ଷସ୍ଥାନୀୟ ବାସଯୋଗ୍ୟ ସହରଗୁଡ଼ିକୁ ପଛରେ ପକାଇ ଅଷ୍ଟ୍ରେଲିଆ, ଜାପାନ ଓ ନ୍ୟୁଜିଲାଣ୍ଡର ସହରଗୁଡ଼ିକ ବାଜି ମାରିନେଇଥିବା 'ଦି ଇକୋନୋମିଷ୍ଟ୍'ର ବାର୍ଷିକ ସର୍ବେକ୍ଷଣରୁ ଜଣାଯାଇଛି। ଏଥିରେ ୨୦୨୧ ମସିହା ପାଇଁ ନ୍ୟୁଜିଲାଣ୍ଡ୍ର ଅକ୍ଲାଣ୍ଡ ସହର ବିଶ୍ବର ଶ୍ରେଷ୍ଠ ବାସଯୋଗ୍ୟ ସହରର ମାନ୍ୟତା ହାସଲ କରିଥିବା ବେଳେ ତାହା ପଛକୁ ଜାପାନର ଓସାକା ଓ ଟୋକିଓ ସହର ରହିଛନ୍ତି। ସେହିପରି ସେମାନଙ୍କ ତଳକୁ ଅଷ୍ଟ୍ରେଲିଆର ଆଡିଲେଡ୍ ଓ ନ୍ୟୁଜିଲାଣ୍ଡ୍ର ୱେଲିଂଟନ ସହର ଉତ୍ତମ ବାସଯୋଗ୍ୟ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଉପରୋକ୍ତ ଏହି ସମସ୍ତ ସହର କୋଭିଡ୍-୧୯ର ପ୍ରାଦୁର୍ଭାବ ପ୍ରତି ତ୍ବରିତ ପ୍ରତିକ୍ରିୟା ପ୍ରଦର୍ଶନ କରିଛନ୍ତି। ଅକ୍ଲାଣ୍ଡରେ ମହାମାରୀ କୋଭିଡ୍କୁ ଯଥାଶୀଘ୍ର ସମ୍ଭବ କାବୁ କରାଯିବା ସହ ଏହାର ବାସିନ୍ଦାମାନଙ୍କୁ ମୁକ୍ତ ଭାବରେ ବିଚରଣ କରିବା ପାଇଁ ପ୍ରୋତ୍ସାହିତ କରିଥିବାରୁ ଏହି ମାନ୍ୟତାରେ ତାହା ଶୀର୍ଷ ସ୍ଥାନ ଦଖଲ କରିଥିବା 'ଦି ଇକୋନୋମିଷ୍ଟ୍'ର ଅନୁଧ୍ୟାନକାରୀମାନେ କହିଛନ୍ତି।
ୟୁରୋପୀୟ ସହରଗୁଡ଼ିକ ଏ ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିପାରି ନାହାନ୍ତି। ଗତ ୨୦୧୮ରୁ ୨୦୨୦ ଯାଏ ଏହି ମାନ୍ୟତାର ଶୀର୍ଷରେ ଥିବା ଅଷ୍ଟ୍ରିଆର ରାଜଧାନୀ ସହର ଭିଏନ୍ନା ଚଳିତ ଥର ଦ୍ବାଦଶ ସ୍ଥାନକୁ ଖସି ଆସିଛି। ସେହିପରି ଶୀର୍ଷ ୧୦ରେ ରହୁଥିବା ଅନ୍ୟ ୮ଟି ୟୁରୋପୀୟ ସହର ମଧ୍ୟ ଏହି ମାନ୍ୟତା ତାଲିକାର ଯଥେଷ୍ଟ ତଳକୁ ଖସିଯାଇଥିବା ଜଣାଯାଇଛି। ସିରିଆର ରାଜଧାନୀ ସହର ଦାମାସ୍କସ ସବୁଠୁ କଷ୍ଟସାଧ୍ୟ ସହରର ଅପଯଶ ମୁଣ୍ଡାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/badambadi-3.jpg)