ପୀଡ଼ିତା ପରିବାରକୁ ଭେଟିଲେ ଭୀମ ସେନା ମୁଖ୍ୟ, ପୀଡ଼ିତା ପରିବାର ପାଇଁ ‘ୱାଇ’ ଶ୍ରେଣୀ ସୁରକ୍ଷା ଦାବି

ସିବିଆଇ ତଦନ୍ତକୁ ପୀଡ଼ିତା ପରିବାରର ବିରୋଧ

ଲକ୍ଷ୍ନୌ: ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଆଜି ହାଥରସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ପୀଡ଼ିତା ପରିବାର ସଦସ୍ୟଙ୍କୁ ଭେଟିବାପରେ ଆଜାଦ ସେମାନଙ୍କ ପାଇଁ ‘ୱାଇ’ ଶ୍ରେଣୀ ସୁରକ୍ଷା ଦାବି କରିଛନ୍ତି। ଆଜାଦ କହିଛନ୍ତି, ପୀଡ଼ିତା ପରିବାର ସଦସ୍ୟ ଏଠାରେ ସୁରକ୍ଷିତ ନାହାନ୍ତି। ସେମାନଙ୍କୁ ୱାଇ ସିକ୍ୟୁରିଟି ଆବଶ୍ୟକ। ଯଦି ସୁରକ୍ଷା ନମିଳେ ତେବେ ସେମାନଙ୍କୁ ସେ ନିଜ ଘରକୁ ନେଇଯିବେ ବୋଲି କହିଛନ୍ତି। ଯଦି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା ମିଳୁଛି ତେବେ ପୀଡ଼ିତା ପରିବାରକୁ ଏହି ସୁରକ୍ଷା ମିଳିବାରେ ଅସୁବିଧା କ’ଣ। ଯଦି ତାଙ୍କର ଦାବି ପୂରଣ ନହୁଏ ତେବେ ସେ ବିଧାନସଭା ଘେରାଉ କରିବେ ବୋଲି କହିଛନ୍ତି। ସେହିପରି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଏହି ଘଟଣାର ତଦନ୍ତ କରିବାପାଇଁ ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଆଜି ହାଥରସ୍‌୍‌କୁ ଯିବା ବାଟରେ ତାଙ୍କୁ ପୁଲିସ ଅଟକାଇଥିଲା। ପାଖାପାଖି ୫ କିମି ପର୍ଯ୍ୟନ୍ତ ସେ ଚାଲିଥିଲେ। କିନ୍ତୁ ପୁଣିଥରେ ସେ ହାଥରସ୍‌୍‌ରେ ପ୍ରବେଶ କରିବା ସମୟରେ ତାଙ୍କୁ ପୁଲିସ ଅଟକାଇଥିଲା। ଆଜାଦଙ୍କ ସହ ଥିବା ଅନ୍ୟ ସଦସ୍ୟମାନଙ୍କୁ ପୁଲିସ ଗାଁ ମଧ୍ୟକୁ ଯିବାପାଇଁ ଦେଇନଥିଲା। ଆଜାଦ୍‌ ମଧ୍ୟ ଆଜି ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଲକ୍ଷ୍ନୌ: ହାଥରସ୍‌ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପାରିସ କରିବାର ଦିନକ ପରେ ଆଜି ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ପୀଡ଼ିତା ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛନ୍ତି। ମାମଲାର ତଦନ୍ତ ଭାର ସିବିଆଇ ଗ୍ରହଣ କରିବା ପୂର୍ବରୁ ମଧ୍ୟ ଏସ୍‌ଆଇଟି ଏହାର ତଦନ୍ତ ଜାରି ରଖିଛି। କିନ୍ତୁ ପୀଡ଼ିତା ପରିବାର ଘଟଣାର ସିବିଆଇ ତଦନ୍ତ ଚାହୁନାହାନ୍ତି। ସେମାନେ ଏହ‌ି ମାମଲାରେ ନ୍ୟାୟିକ ତଦନ୍ତ ଚାହୁଛନ୍ତି। ଏସ୍‌ଆଇଟି ପୀଡ଼ିତା ପରିବାରର ପ୍ରତି ସଦସ୍ୟଙ୍କ ବୟାନ ରେକର୍ଡ କରିଛନ୍ତି। ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟି କରିଥିବା ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସରକାର ସୁପାରିସ କରିସାରିଥି‌ଲେ ମଧ୍ୟ ତାଙ୍କ ପରିବାର ସଦସ୍ୟ ନ୍ୟାୟିକ ତଦନ୍ତ ଚାହିବାରୁ ପରିସ୍ଥିତି ଆଗକୁ ଭିନ୍ନ ମୋଡ଼ ନେଇପାରେ।

ସମ୍ବନ୍ଧିତ ଖବର