ଭୋପାଳ ଗ୍ୟାସ୍ ଦୁର୍ଘଟଣାକୁ ୩୬ ବର୍ଷ, ପୀଡ଼ିତଙ୍କ ମଧ୍ୟରେ କରୋନା ମୃତ୍ୟୁ ଅଧିକ
ଜଟିଳ ସ୍ବାସ୍ଥ୍ୟ ସମସ୍ୟା ନେଇ ଉଦ୍ବେଗ
ଭୋପାଳ: ୧୯୮୪ରେ ହୋଇଥିବା ଭୟାବହ ଭୋପାଳ ଗ୍ୟାସ୍ ଦୁର୍ଘଟଣାକୁ ଆସନ୍ତାକାଲି ୩୬ ବର୍ଷ ହେବ । ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ୟାସ ଦୁର୍ଘଟଣାର ସମ୍ମୁଖୀନ ପୀଡ଼ିତମାନଙ୍କ ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ନାହିଁ। ଭୋପାଳ ଗ୍ୟାସ୍ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତମାନେ ଉତ୍କଟ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ପୀଡ଼ିତମାନଙ୍କ ଚିକିତ୍ସା ପାଇଁ ଗଠିତ ଟ୍ରଷ୍ଟ୍ ଦ୍ବାରା ପରିଚାଳିତ ଏକ କ୍ଲିନିକ୍ ଦାବି କରିଛି ଯେ, ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତମାନେ ମୋଟାପଣ ଏବଂ ଥାଇରଏଡ୍ରେ ପୀଡ଼ିତ ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବି ବଢ଼ିଯାଇଛି। ୨୭,୧୫୫ ବ୍ୟକ୍ତିଙ୍କ ବିଏମ୍ଆଇ (ବଡି ମାସ୍ ଇଣ୍ଡେକ୍ସ) ଏବଂ ଥାଇରଏଡ୍ ଅନୁଧ୍ୟାନରୁ ଏହା ଜଣାପଡ଼ିଛି ଯେ, ୟୁନିଅନ୍ କାର୍ବାଇଡ୍ ପରି ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିଥିବା ଲୋକମାନେ ୨.୭୫ ଗୁଣା ଅଧିକ ମୋଟା ଲାଗୁଛନ୍ତି ଏବଂ ସେମାନଙ୍କ ଥାଇରଏଡ୍ ସମସ୍ୟା ମଧ୍ୟ ଅନ୍ୟମାନଙ୍କ ତୁଳନାରେ ୧.୯୨ ଗୁଣା ଅଧିକ ରହିଛି। ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କ୍ଷେତ୍ରରେ ମଧୁମେହ, ଉଚ୍ଚ ରକ୍ତଚାପ, କରୋନାରି ହାର୍ଟ ଡିଜିଜ୍, ଆର୍ଥ୍ରାଇଟିସ୍ ଏବଂ କର୍କଟ ରୋଗ ଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି। ସେହିପରି ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତଙ୍କ ମଧ୍ୟରେ କରୋନା ମୃତ୍ୟୁ ମଧ୍ୟ ଅଧିକ ରହିଛି। ଭୋପାଳ ଜିଲ୍ଲାରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିନଥିବା ଲୋକଙ୍କ ତୁଳନାରେ ପୀଡ଼ିତଙ୍କ ମଧ୍ୟରେ କରୋନା ମୃତ୍ୟୁ ହାର ୬.୫ ଗୁଣା ଅଧିକ ରହିଛି ବୋଲି ସରକାରୀ ରେକର୍ଡ କହୁଛି। ଭୋପାଳରେ ୨.୮ ନିୟୁତ ଜନସଂଖ୍ୟାଙ୍କ ମଧ୍ୟରୁ ୧୭ ପ୍ରତିଶତ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିଥିଲେ। ଜିଲ୍ଲାରେ ହୋଇଥିବା ମୋଟ୍ କରୋନା ମୃତ୍ୟୁରୁ କେବଳ ୫୬ ପ୍ରତିଶତ ଏହି ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତ ବୋଲି ଆକଳନରୁ ଜଣାପଡ଼ିଛି।
ସୁପ୍ରିମକୋର୍ଟରେ ୨୦୦୬ରେ ଦାଖଲ ହୋଇଥିବା ଏକ ସରକାରୀ ସତ୍ୟପାଠ ଅନୁଯାୟୀ ଭୋପାଳ ଗ୍ୟାସ୍ ଦୁର୍ଘଟଣା ଯୋଗୁଁ ୩,୭୮୭ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୫.୫୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। କିନ୍ତୁ ପୀଡ଼ିତଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂଗଠନମାନେ ଦାବି କରିଛନ୍ତି ଯେ, ଗ୍ୟାସ୍ ଦୁର୍ଘଟଣା ଯୋଗୁଁ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ୩୬ ବର୍ଷରେ ମଧ୍ୟ ବିଷାକ୍ତ ଆବର୍ଜନାକୁ ନଷ୍ଟ କରିବା ସମ୍ଭବ ହୋଇନାହିଁ।