ବାଇଡେନ୍‌ ଯୁଗ ଆରମ୍ଭ, କମଳା ହାରିସ୍‌ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି

ଜୋ ବାଇଡେନ୍‌ଙ୍କ ଜୀବନ ଯାତ୍ରା, ବାଇଡେନ୍‌ଙ୍କ ପାଇଁ କିଏ ଭୋଟ୍‌ ଦେଇଛନ୍ତି

ଵାସିଂଟନ: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଆଜି ଶପଥ ଗ୍ରହଣ କରିବା ସହ ଟ୍ରମ୍ପ୍‌ ଯୁଗର ପରିସମାପ୍ତି ଘଟିଛି ଏବଂ ବାଇଡେନ୍‌ ଯୁଗ ଆରମ୍ଭ ହୋଇଛି। ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ମଧ୍ୟ ଆମେରିକାର ଗଣତନ୍ତ୍ର ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଘଟଣା। ଦେଶର ୪୫ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବା ଟ୍ରମ୍ପ୍‌ ଆଜି ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେଇଛନ୍ତି। ରିପବ୍ଲିକାନ ପାର୍ଟିରୁ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟ୍ରମ୍ପ୍‌ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ନିର୍ବାଚନରେ ବଡ଼ ଧରଣର ଜାଲିଆତି ହୋଇଛି ବୋଲି ସେ ଅଭିଯୋଗ ଆଣିବା ସହ ନିର୍ବାଚନ ପରିଣାମକୁ ଗ୍ରହଣ କରିନଥିଲେ।

ଆମେରିକାର ଜନସାଧାରଣ ମଧ୍ୟ ଏହି ନିର୍ବାଚନ ପରିଣାମକୁ ଗ୍ରହଣ ନ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଏହାକୁ ନେଇ ଆମେରିକାର ଗଣତାନ୍ତ୍ରିକ ଇତିହାସରେ ସବୁଠାରୁ ବଡ଼ ବିବାଦ ଦେଖିବାକୁ ମିଳିଥିଲା ଏବଂ ଗତ ୬ ତାରିଖ ଦିନ ସଂସଦ ଭବନରେ ଦଙ୍ଗା ହୋଇଥିଲା। ସଂସଦ ଭବନ ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିବା ପରେ ସବୁ ମହଲ ଏଥିପାଇଁ ଟ୍ରମ୍ପ୍‌ଙ୍କୁ ଦାୟୀ କରିଥିଲେ ଏବଂ ତାଙ୍କ ବିରୋଧରେ ପ୍ରତିନିଧି ସଭା (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌)ରେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଥିଲା। ଜାନୁଆରି ୬ ତାରିଖରେ କ୍ୟାପିଟଲ୍‌ ବିଲ୍‌ଡିଂ ହିଂସା ପରେ ଉପୁଜିଥିବା ସମ୍ବେଦନଶୀଳ ସ୍ଥିତିକୁ ଦୃଷ୍ଟିରେ ରଖି ୱାସିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସହରରେ ହିଂସା ଆଶଙ୍କା ଯୋଗୁଁ ଜାତୀୟ ସୁରକ୍ଷା ବାହିନୀକୁ ଆଇନ ଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି।

୧୯୪୨: ପେନ୍‌ସିଲଭାନିଆରେ ଜନ୍ମ
୧୯୬୮: ସାଇରାକସ୍‌ ୟୁନିଭର୍ସିଟିରୁ ଆଇନ ଡିଡ୍ରି ହାସଲ
୧୯୭୨: ଡେଲାୱାରେ ପାଇଁ ସିନେଟର ନିର୍ବାଚିତ
୧୯୭୩-୨୦୦୯: ୟୁଏସ୍‌ ସିନେଟ୍‌ ସଦସ୍ୟ ଥ‌ିଲେ
୧୯୭୭: ଜିଲ୍‌ ଜାକବ୍‌ସଙ୍କୁ ବିବାହ
୧୯୮୮: ଡିମୋକ୍ରାଟିକ୍‌ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ
୨୦୦୮: ୨୦୦୮ରେ ମଧ୍ୟ ରାଷ୍ଟ୍ରପତି ହେବାପାଇଁ ପ୍ରୟାସ କରି ବିଫଳ ହୋଇଥିଲେ
୨୦୦୯-୨୦୧୬: ଆମେରିକା ଉପରାଷ୍ଟ୍ରପତି ଥିଲେ
୨୦୦୯ : ସିନେଟ୍‌ରୁ ଇସ୍ତଫା
୨୦୧୨: ଗନ୍‌ ଭାଓଲେନ୍ସ ଟାସ୍କ ଫୋର୍ସ୍‌ର ନେତୃତ୍ବ ନେଇଥିଲେ
୨୦୧୭: ପ୍ରେସିଡେନସିଆଲ୍‌ ମେଡାଲ୍‌ ଅଫ୍‌ ଫ୍ରିଡମ୍‌ରେ ପୁରସ୍କୃତ
୨୦୨୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଲେ

ଶ୍ବେତାଙ୍ଗ ଭୋଟର : ୪୫ ପ୍ରତିଶତ
ଶ୍ବେତାଙ୍ଗ ପୁରୁଷ : ୩୯ ପ୍ରତିଶତ
ବିନା କଲେଜ୍‌ ଡିଗ୍ରି ଥିବା ଶ୍ବେତାଙ୍କ ବ୍ୟକ୍ତି : ୩୪ ପ୍ରତିଶତ
କୃଷ୍ଣକାୟ ଭୋଟର : ୯୦ ପ୍ରତିଶତ
କୃଷ୍ଣକାୟ ମହିଳା ଭୋଟର:
୯୩ ପ୍ରତିଶତ
ଏସିୟ ଭୋଟର୍‌ : ୭୦ ପ୍ରତିଶତ
ହିସପାନ୍‌ ଭୋଟର : ୬୩ ପ୍ରତିଶତ
ସହରାଞ୍ଚଳ ଭୋଟର୍‌ : ୬୫ ପ୍ରତିଶତ
୧୮-୨୯ ବର୍ଷ ବୟସରେ ଭୋଟର୍‌ଙ୍କ ସଂଖ୍ୟା: ୬୧ ପ୍ରତିଶତ

ସମ୍ବନ୍ଧିତ ଖବର