ବାଇଡେନ୍‌-ହାରିସ୍‌ ଶପଥ ଗ୍ରହଣ ଆମେରିକା ଇତିହାସରେ ସବୁଠୁ ଭିନ୍ନ

ୱାସିଂଟନ୍‌: ଜୋ ବାଇଡେନ୍‌ ଏବଂ କମଳା ହାରିସ୍‌ ଆଜି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ହୋଇଛି। ତେବେ ବାଇଡେନ୍‌-ହାରିସ୍‌ଙ୍କ ଶପଥଗ୍ରହଣ ଉତ୍ସବ ଆମେରିକା ଇତିହାସରେ ସବୁଠୁ ଭିନ୍ନ। ଖୁବ୍‌ କମ୍‌ ସଂଖ୍ୟକ ଅତିଥି କେବଳ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି। ସାଧାରଣତଃ କଂଗ୍ରେସର ସଦସ୍ୟ ଏବଂ ସେମାନଙ୍କ ନିଜ ନିଜ କ୍ଷେତ୍ରରୁ ପ୍ରାୟ ୨ ଲକ୍ଷ ଟିକେଟ୍‌ ବଣ୍ଟାଯାଇଥାଏ। କିନ୍ତୁ ଚଳିତଥର ମାତ୍ର ୧,୦୦୦ ଟିକେଟ୍‌ ପାଇଁ ଅନୁମତି ମିଳିଛି। କଂଗ୍ରେସର ୫୩୫ ସଦସ୍ୟଙ୍କ ପାଇଁ ଗୋଟିଏ ଏବଂ‌ ସେମାନଙ୍କର ଜଣେ ମାତ୍ର ଅତିଥିଙ୍କ ପାଇଁ ‌ଗୋଟିଏ ଲେଖାଏଁ ଟିକେଟ ରହିଛି।

ବାଇଡେନ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଟ୍ରମ୍ପ୍‌ ରହିବେ ନାହିଁ। ‌ତେବେ ୧୮୬୯ରେ ଆଣ୍ଡ୍ର୍ୟୁ ଜନସନ୍‌ଙ୍କ ପରେ ପ୍ରଥମ ଥର ପାଇଁ ଟ୍ରମ୍ପ୍‌ ତାଙ୍କ ଉତ୍ତରାଧିକାରୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇନାହାନ୍ତି। ସମଗ୍ର ବିଶ୍ବରୁ ଲୋକଙ୍କ ପ୍ରତିନିଧିତ୍ବ ପାଇଁ ନ୍ୟାସନାଲ୍‌ ମଲ୍‌ରେ ୨ ଲକ୍ଷ ପତାକା ସଜାଯାଇଛି। କ୍ୟାପିଟଲ୍‌ ହିଲ୍‌ ହିଂସାକାଣ୍ଡ ପରେ ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଶପଥଗ୍ରହଣ ପୂର୍ବରୁ ପାରମ୍ପରିକ ଇନାଗୁରେସନ୍‌ ପରେଡ୍‌ ପରିବର୍ତ୍ତେ ଚଳିତଥର ଭର୍ଚୁଆଲ୍‌ ପରେଡ୍‌ ହୋଇଥିଲା। ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୮୮୦ ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ‘ନୋ ଫ୍ଲାଏ’ ଲିଷ୍ଟ୍‌ରେ ସାମିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର