ଅମରନାଥ ଯାତ୍ରାରେ ବଡ଼ ଆକ୍ରମଣ ଯୋଜନା ପଣ୍ଡ: ଜମ୍ମୁରେ ଠାବ ହେଲା ସୀମାପାର ସୁଡ଼ଙ୍ଗ

ଶ୍ରୀନଗର: ଚଳିତବର୍ଷ ଅମରନାଥ ଯାତ୍ରାରେ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଯୋଜନା ସାମ୍ନାକୁ ଆସିଛି। ଭାରତର ସୀମା ସୁରକ୍ଷା ବାହିନୀ ଏହି ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛି। ଜମ୍ମୁର ସାମ୍ବା ଜିଲ୍ଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ସୀମାପାର ସୁଡ଼ଙ୍ଗ ଠାବ ହୋଇଛି। ବୁଧବାର ସନ୍ଧ୍ୟାରେ ବିଏସଏଫ୍‌ ଯବାନ ଏକ ସ୍ବତନ୍ତ୍ର ଅପରେସନ୍‌ ପରିଚାଳନା କରିବା ସମୟରେ ଏହି ସୁଡ଼ଙ୍ଗ ଠାବ କରିଛନ୍ତି। ପାକିସ୍ତାନ ପାର୍ଶ୍ବରୁ ଏହି ସୁଡ଼ଙ୍ଗ ଆରମ୍ଭ ହୋଇଛି । ଅମରନାଥ ତୀର୍ଥଯାତ୍ରୀଙ୍କ ପାଇଁ ସଡ଼କ ପଥ ତଥା (ପଠାନକୋଟ-ଜମ୍ମୁ-ଶ୍ରୀନଗର ରାଜପଥ) ସାମ୍ବା ଦେଇ ଅତିକ୍ରମ କରିଛି। ଯେଉଁ ରାସ୍ତା ଦେଇ ତୀର୍ଥଯାତ୍ରୀମାନେ ଯାତ୍ରା କରିବେ ସେହି ରାସ୍ତା ନିକଟରେ ସୁଡ଼ଙ୍ଗ ଠାବ ହୋଇଛି। ଅନ୍ତର୍ଜାତୀୟ ସୀମାଠାରୁ ଉକ୍ତ ରାଜପଥ ଦୂରତା ବହୁତ କମ୍‌।

ବିଏସ୍‌ଏଫ୍‌ ଡିଆଇଜି ଏସ୍‌ପିଏସ୍‌ ସନ୍ଧୁ ଏକ ବିବୃତି ଜାରି କରି କହିଛନ୍ତି ଯେ ୧୮ ମାସ ମଧ୍ୟରେ ଏହା ପଞ୍ଚମ ସୀମାପାର ସୁଡ଼ଙ୍ଗ। ସାମ୍ବାର ବିପରୀତ ଅଞ୍ଚଳରେ ଅବସ୍ଥିତ ଚାକ୍‌ ଫକିରାର ନିରୀକ୍ଷଣ ପୋଷ୍ଟ ଅଞ୍ଚଳରେ ଠାବ ହୋଇଥିବା ଏହି ସୁଡ଼ଙ୍ଗ ପାକିସ୍ତାନର ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଇଛି। ୧୫୦ ମିଟର ଲମ୍ବ ବିଶିଷ୍ଟ ଏହି ସୁଡ଼ଙ୍ଗ ନିକଟରେ ଖୋଳାଯାଇଥିବା ଜଣାପଡ଼ିଛି। ସୁଡ଼ଙ୍ଗର ପ୍ରବେଶ ପଥ ପ୍ରାୟ ୨ ଫୁଟ୍‌ ଓସାର। ସୁଡ଼ଙ୍ଗକୁ ସୁଦୃଢ଼ କରିବାପାଇଁ ବହୁ ସଂଖ୍ୟାରେ ବାଲିବସ୍ତା ବ୍ୟବହାର ହୋଇଛି। ବିଏସଏଫ୍‌ ଡିଆଇଜି ସନ୍ଧୁ କହିଛନ୍ତି, ଏହ‌ି ସୁଡ଼ଙ୍ଗକୁ ଭଲଭାବେ ଯାଞ୍ଚ କରାଯିବ।

ଗତ ଏପ୍ରିଲ ୨୨ରେ ସୁରକ୍ଷାକର୍ମୀମାନେ ଦୁଇଜଣ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ନିପାତ କରିବାପରେ ଗତକାଲି ଏହି ସୁଡ଼ଙ୍ଗ ଠାବ ହୋଇଛି। ନିହତ ହୋଇଥିବା ୨ ଆତଙ୍କବାଦୀ ଏକ ସିଆଇଏସଏଫ୍‌ ବସ୍‌ ଉପରକୁ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ଯୋଗୁଁ ବଡ଼ ଧରଣର ବିପଦ ଟଳି ଯାଇଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ବିଏସଏଫ୍‌ ଯବାନ ସହିଦ ହୋଇଥିଲେ। ମିଳିଥିବା ସୂଚନାନୁଯାୟୀ ଏହି ସୁଡ଼ଙ୍ଗ ପାକିସ୍ତାନର ଚମନ ଖୁର୍ଦରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର