ପରିବେଶ କର୍ମୀଙ୍କ ଉପରେ ୨୦୨୦ରେ ସର୍ବାଧିକ ଆକ୍ରମଣ

ନୂଆଦିଲ୍ଲୀ: ପାରିବେଶିକ ଶୋଷଣରୁ ନିଜର ଘର, ଜମି ଓ ଜୀବିକାକୁ ବଞ୍ଚାଇବାକୁ ସଂଘର୍ଷ କରି ଗତବର୍ଷ ୨୨୭ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ପରିବେଶ ସୁରକ୍ଷା ସଂସ୍ଥା ଗ୍ଲୋବାଲ ୱିଟ୍‌ନେସ୍ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।୨୦୧୨ରୁ ଗ୍ଲୋବାଲ ୱିଟ୍‌ନେସ୍ ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଆସୁଥିବା ବେଳେ ୨୦୨୦ର ମୃତ୍ୟୁସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି।

ମୋଟ ମୃତ୍ୟୁର ଏକତୃତୀୟାଂଶ ସହ ଖଣି, ଜଙ୍ଗଲକଟା ପରି ସମ୍ପଦ ଶୋଷଣ ଜଡ଼ିତ। ଗ୍ଲୋବାଲ ୱିଟ୍‌ନେସ୍ ପକ୍ଷରୁ କୁହାଯାଇଛି ଯେ, ଅଣ-ଉତ୍ତରଦାୟୀ ଶୋଷଣ ଓ ଲୋଭ ଯୋଗୁ ଜଳବାୟୁ ସଂକଟ ସୃଷ୍ଟି ହେଉଛି ଏବଂ ଜମି, ଜଙ୍ଗଲ ଆଦି ସୁରକ୍ଷା ପାଇଁ ଅଣ୍ଟା ଭିଡ଼ୁଥିବା ଲୋକଙ୍କ ପ୍ରତି ହିଂସା ବଢ଼ୁଛି। ୨୨୭ରୁ ଗୋଟିଏକୁ ଛାଡ଼ି ଅନ୍ୟ ସମସ୍ତ ମୃତ୍ୟୁ ଦକ୍ଷିଣ ଗୋଲାର୍ଦ୍ଧରେ ବିକାଶଶୀଳ ଦେଶରେ ହୋଇଛି, ଯେଉଁଠି କର୍ତ୍ତୃପକ୍ଷ କାଠ କାଟିବା, ଖଣି ଖୋଳିବା ଓ ଶିଳ୍ପ ବିକାଶ ଆଦି ବନ୍ଦ କରିବାକୁ ରାଜି ହୋଇ ନାହାନ୍ତି। ଅଧାରୁ ଅଧିକ ମୃତ୍ୟୁ ତିନୋଟି ଦେଶ ଯଥା କଲମ୍ବିଆ, ମେକ୍ସିକୋ ଓ ଫିଲିପାଇନ୍ସରେ ଘଟିଛି। ଦ୍ବିତୀୟ ବର୍ଷ ପାଇଁ କଲମ୍ବିଆରେ ସର୍ବାଧିକ ୬୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେକ୍ସିକୋରେ ୩୦ ଓ ଫିଲିପାଇନ୍ସରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି।

ଅଥଚ ଏହିସବୁ ମୃତ୍ୟୁ ପାଇଁ ଯେଉଁ ସରକାର, ବ୍ୟବସାୟୀ ବା ଶିଳ୍ପପତିମାନେ ଉତ୍ତରଦାୟୀ ସେମାନଙ୍କୁ କାଠଗଡ଼ାକୁ ଟଣାଯାଇ ପାରୁ ନାହିଁ ବା କାଠଗଡ଼ାକୁ ଆସିଲେ ବି ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଦୁର୍ନୀତି ଯୋଗୁ ସେମାନେ ଛାଡ଼ ପାଇଯାଉଛନ୍ତି ବୋଲି ଆସୋସିଏଟେଡ୍ ପ୍ରେସ୍ ପକ୍ଷରୁ କୁହାଯାଇଛି। ଏଭଳି ମୃତ୍ୟୁକୁ ରୋକିବା ପାଇଁ ଯଦି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହେ ଏବଂ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଆପରାଧିକ ନ୍ୟାୟ ବ୍ୟବସ୍ଥା ଆଗୁସାର ହୁଏ, ତେବେ ଆଗକୁ ଆମେ ଶହ ଶହ ପରିବେଶ ସୁରକ୍ଷା କର୍ମୀ ଓ ମାନବାଧିକାର ସୁରକ୍ଷା କର୍ମୀମାନଙ୍କ ମୃତ୍ୟୁ ଦେଖିବୁ ବୋଲି କୁହାଯାଇଛି। ୨୦୧୨ରେ ଏ ଧରଣର ମୃତ୍ୟୁ ସଂଖ୍ୟା ୧୪୭ ହୋଇଥିବା ବେଳେ ୨୦୨୦ରେ ତାହା ୨୨୭ରେ ପହଞ୍ଚିବା ଉଦ୍‌ବେଗଜନକ ବୋଲି ଗ୍ଲୋବାଲ ୱିଟ୍‌ନେସ୍ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର