ବେଜିଂ : ଚୀନ୍‌ରେ କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ସବୁଠୁ ବଡ଼ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ଚୀନ୍‌ ଏହାର ଜିଆନ୍‌ ସହରର ୧୩ ନିୟୁତ ଲୋକଙ୍କୁ ତାଲାବନ୍ଦୀରେ ରଖିଛି। ଚୀନ୍‌ରେ ଏହା ସବୁଠାରୁ ବଡ଼ ଲକ୍‌ଡାଉନ୍‌ ବୋଲି କୁହାଯାଉଛି। ଚୀନ୍‌ ଲୋକମାନଙ୍କୁ ଘରେ ରହିବାକୁ କହିଛି। ପ୍ରତି ପରିବାରରୁ କେବଳ ଜଣେ ବ୍ୟକ୍ତି ଦିନେ ଛଡ଼ା ଦିନେ ବାହାରକୁ ଯାଇ ଆବଶ୍ୟକ ସାମଗ୍ରୀ କିଣିବେ। ସହର ବାହାରକୁ ଅନାବଶ୍ୟକ ଯାତ୍ରା ଉପରେ ରୋକ୍‌ ଲାଗିଛି। ଜିଆନ୍‌ରେ ୧୪ ଜିଲ୍ଲାରେ ଗଣ ଟେଷ୍ଟିଂ ଦ୍ବାରା ୧୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଫଳରେ ଚୀନ୍‌ ଏହାର କରୋନା କଟକଣା କଡ଼ାକଡ଼ି କରିଛି। ଚୀନ୍‌ ମଧ୍ୟ ଓମିକ୍ରନ୍‌ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ଉଲ୍ଲେଖଯୋଗ୍ୟ, ୨୦୨୦ ପରଠାରୁ ଚୀନ୍‌‌ରେ କୌଣସି ବଡ଼ ସହରରେ ଏଭଳି କଟକଣା ଜାରି ହୋଇନଥିଲା। ଚୀନ୍‌ରେ ସଂକ୍ରମଣ କମ୍‌ ରହିଛି। କିନ୍ତୁ ୧୪ଟି ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିବାରୁ ଚୀନ୍‌ ଏହାକୁ ଗମ୍ଭୀରତାର ସହ ନେଇଛି। ତେଣୁ ଏହା ଜିଆନ ସହରର ୧୩ ନିୟୁତ ଲୋକଙ୍କୁ ଲକ୍‌ଡାଉନ୍‌ରେ ରଖିବାପାଇଁ ନିଷ୍ପତ୍ତି ନେଛନ୍ତି । ଇତି ମଧ୍ୟରେ ଚୀନ୍‌ରେ ୪ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ବିଦେଶ ‌ଫେରନ୍ତା ୪ ନାଗରିକ ଚୀନ୍‌ରେ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି।

Advertisment

ଆଷ୍ଟ୍ରାଜେନେକା ବୁଷ୍ଟର ଟିକା‌ ଓମିକ୍ରନ୍‌ ବିରୋଧରେ ଫଳପ୍ରଦ

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକାର ୩ ଡୋଜ୍‌ କୋଭିଡ ଟିକା ଓମିକ୍ରନ୍‌ ପ୍ରଜାତି ବିରୋଧରେ ଫଳପ୍ରଦ। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ ଆଷ୍ଟ୍ରାଜେନେକା ଦାବି କରିଛି ଯେ ଏହାର ବୁଷ୍ଟର୍‌ ଟିକା ଓମିକ୍ରନ୍‌ ବିରୋଧରେ ଆଶାତୀତ ଭାବେ ଫଳପ୍ରଦ। କରୋନାରୁ ସଂକ୍ରମିତ ହୋଇଥିଲେ କିମ୍ବା ସମ୍ପୂର୍ଣ୍ଣ ଟିକା‌ ନେଇଥିବା ବ୍ୟକ୍ତିଙ୍କ ଶରୀରର ଏଣ୍ଟିବଡିସ୍ତର ଠାରୁ ଆଷ୍ଟ୍ରାଜେନେକା ବୁଷ୍ଟର ଡୋଜ୍‌ ଦ୍ବାରା ଏଣ୍ଟିବଡି ସ୍ତର ଅଧିକ ରହୁଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଅଧ୍ୟୟନ ତଥ୍ୟରୁ ଏହା ଜଣାପଡ଼ିଛି। ଏବେ ବିଶ୍ବବ୍ୟାପୀ ଓମିକ୍ରନ୍‌ ସଂକ୍ରମଣ ବଢ଼ିବା‌ରେ ଲାଗିଛି। ଓମିକ୍ରନ୍‌ ଯୋଗୁଁ ଏବେ ୟୁରୋପ, ଆମେରିକା ଓ ଏସିଆରେ କଟକଣା କଡ଼ାକଡ଼ି ହୋଇଛି।

ମଧ୍ୟପ୍ର‌ଦେଶରେ ନାଇଟ୍‌ କର୍ଫ୍ୟୁ

ଭୋପାଳ : କୋଭିଡ୍‌ର ଓମିକ୍ରନ୍‌ ପ୍ରଜାତି ପାଇଁ ସଂକ୍ରମଣ ବଢ଼ିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି । ରାତି ୧୧ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। କିନ୍ତୁ ମଧ୍ୟପ୍ର‌ଦେଶରେ ଏଯାବତ ଓମିକ୍ରନ୍‌ ମାମଲା ଚିହ୍ନଟ ‌ହୋଇନି। ଦିଲ୍ଲୀ, ମୁମ୍ବାଇ, କର୍ଣ୍ଣାଟକ, ହରିୟାଣା, ପଂଜାବ ଏବଂ ଗୁଜରାଟରେ ମଧ୍ୟ କରୋନା କଟକଣା କଡ଼ାକଡ଼ି ହୋଇଛି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କୁ କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶରେ ଆଗକୁ ଆବଶ୍ୟକ ହେଲେ ଅଧିକ କଟକଣା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।