ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦ ଉଚ୍ଛେଦ ହେବାପରେ କାଶ୍ମୀରର ଭାଗ୍ୟ ବଦଳିଛି। ସମଗ୍ର ଅଂଚଳରେ ନିରନ୍ତର ବିକାଶ ଓ କର୍ମନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସଫଳତା କାଶ୍ମୀରର ଯୁବଗୋଷ୍ଠୀକୁ ଶାନ୍ତିର ମାର୍ଗ ଚୟନ ପାଇଁ ପ୍ରୋତ୍ସାହିତ କରିଛି। ଏହା ସହିତ ମିଳିତ ସୁରକ୍ଷା ବାହିନୀର ସ୍ବତନ୍ତ୍ର ଅପରେସନରେ ହିଜବୁଲ ଓ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଅଧିକାଂଶ ଅଂଚଳରୁ ମୂଳପୋଛ ହୋଇଯାଇଛନ୍ତି। ଦକ୍ଷିଣ କାଶ୍ମୀରରେ ଲସ୍କରର ପ୍ରାୟ ସମସ୍ତ କମାଣ୍ଡର ନିପାତ ହୋଇଥିବା ବେଳେ ହିଜବୁଲ ଆତଙ୍କବାଦୀମାନେ ଅଦୃଶ୍ୟ ହୋଇଯାଇଛନ୍ତି। ଏଭଳି ସ୍ଥିତି ପାକିସ୍ତାନ ସେନା ଓ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ନିଦ ହଜାଇ ଦେଇଥିବା ବେଳେ ୨୦୧୯ରେ ଗଠନ ହୋଇଥିବା ଏକ ନୂଆ ଆତଙ୍କୀ ସଂଗଠନ ଟିଆର୍‌ଏଫ୍‌ (ଦ ରେଜିଷ୍ଟେନ୍ସ ଫୋର୍ସ) ଏବେ କାଶ୍ମୀରରେ ସକ୍ରିୟ ହୋଇଛି।

Advertisment

ଏହି ସଂଗଠନ ଲସ୍କରର ସ୍ଥାନ ନେବାପାଇଁ ପାକ୍‌ ସେନା ଓ ଆଇଏସ୍‌ଆଇଠାରୁ ସମସ୍ତ ସହାୟତା ହାସଲ କରୁଛି। ଗତକାଲି ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଟିଆର୍‌ଏଫ୍‌ ନିଜକୁ ଦାୟୀ କରିଛି। ଏହି ଆକ୍ରମଣରେ କର୍ଣ୍ଣେଲ ମନପ୍ରୀତ ସିଂହ, ବାଟାଲିୟନ କମାଣ୍ଡର ମେଜର ଆଶୀଷ ଧୌନକ ଏବଂ ଜମ୍ମୁ କାଶ୍ମୀର ପୁଲିସର ଡିଏସ୍‌ପି ହୁମାୟୁନ ଭଟ୍ଟ ସହିଦ ହୋଇଯାଇଛନ୍ତି। ଏକ ଅପରେସନ ସମୟରେ ଆତଙ୍କବାଦୀମାନେ ଉଚ୍ଚ ସ୍ଥାନରେ ଲୁଚି ରହି ଅତର୍କିତ ଗୁଳିବର୍ଷା କରିଥିଲେ ଏବଂ ଏହି ଗୁଳିମାଡ଼ର ଶିକାର ହୋଇଥିଲେ ୩ ଅଫିସର। ଟିଆର୍‌ଏଫ୍‌ର ୬ ଜଣ ଆତଙ୍କବାଦୀ ଏହି ଆକ୍ରମଣ ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି। ଆଜି ଟିଆର୍‌ଏଫ୍‌ ଦାବି କରିଛି ଯେ ପାକିସ୍ତାନର ଏକ ମସ୍‌ଜିଦରେ ନିକଟରେ ଲସ୍କର କମାଣ୍ଡର ରିୟାଜ ଅହମ୍ମଦ ଓରଫ କାସିମ୍‌କୁ ହତ୍ୟା କରାଯାଇଥିଲା ଏବଂ ଏହି ହତ୍ୟାର ପ୍ରତିଶୋଧ ନେବାକୁ ଅନନ୍ତନାଗରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରାଯାଇଛି।

ସୂଚନାଯୋଗ୍ୟ, କାଶ୍ମୀରର କେତେକ ସ୍ଥାନରେ ଯୁବକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏବଂ ଧମକାଇ ଟିଆର୍‌ଏଫ୍‌ରେ ସାମିଲ ହେବାକୁ ବାଧ୍ୟ କରାଯାଉଥିବା ସଂପର୍କରେ କିଛି ଦିନ ତଳେ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଟିଆର୍‌ଏଫ୍‌ ସଂଗଠନର ମୂଳପୋଛ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଏହା ଜାରି ରହିଛି। ଏହି ସଂଗଠନର କେତେକ ଆତଙ୍କବାଦୀ ବିଭିନ୍ନ ଏନ୍‌କାଉଣ୍ଟରରେ ନିପାତ ହେବାପରେ ଗତକାଲି ଅନନ୍ତନାଗରେ ସେମାନେ ଯୋଜନାବଦ୍ଧ ଆକ୍ରମଣ କରିଥିଲେ। ଟିଆର୍‌ଏଫ୍‌ ସଂଗଠନ ୨୦୧୯ରେ ଆବିର୍ଭାବ ହେବା ପରଠାରୁ ଗୃହ ମନ୍ତ୍ରାଳୟ ଏହାକୁ ନିଷଦ୍ଧ ଘୋଷଣା କରିଛି। ଟିଆର୍‌ଏଫ୍‌ର ନବନିଯୁକ୍ତ ଆତଙ୍କବାଦୀଙ୍କୁ ପାକ୍‌ ଅଧିକୃତ କାଶ୍ମୀରରେ ପାକ୍‌ ସେନା ତାଲିମ ଦେଇଛି ଏବଂ ଲସ୍କର ମୁଖ୍ୟ ହାଫିଜ ସୟିଦର ସମର୍ଥନରେ ଏହି ସଂଗଠନ କାଶ୍ମୀରରେ କାୟା ବିସ୍ତାର କରୁଛି।