ନୂଆଦିଲ୍ଲୀ: ଭୋଟର ପରିଚୟପତ୍ର ସହ ଆଧାର ନମ୍ବରକୁ ଯୋଡ଼ିବା ପାଇଁ ନିର୍ବାଚନ ଆଇନରେ ସଂଶୋଧନ ପାଇଁ ଆଗତ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି। ନିର୍ବାଚନ ଆଇନ (ସଂଶୋଧନ) ବିଲ୍,୨୦୨୧କୁ ପ୍ରବଳ ବିରୋଧ ସତ୍ତ୍ବେ ସରକାର ବାଚନିକ ଭୋଟରେ ନିମ୍ନ ସଦନରେ ଏହାକୁ ଗୃହୀତ କରାଇ ନେଇଛନ୍ତି। କଂଗ୍ରେସ, ଏଆଇଏମଆଇଏମ, ବିଏସ୍ପି ଓ ଅନ୍ୟ ଦଳଗୁଡ଼ିକ ଉକ୍ତ ବିଲ୍କୁ ବିରୋଧ କରିଛନ୍ତି। ଉକ୍ତ ବିଲ୍କୁ ପ୍ରତ୍ୟାହାର କରିନେବା ପାଇଁ ସେମାନେ ଦାବି କରିଥିଲେ। ଉକ୍ତ ବିଲ୍ ଆଇନରେ ପରିଣତ ହେଲେ ନାଗରିକମାନଙ୍କର ସାମ୍ବିଧାନିକ ଅଧିକାର ଏବଂ ଗୋପନୀୟତା ଅଧିକାର ଉଲ୍ଲଂଘନ ହେବ। ଭୋଟର କାର୍ଡ ସହିତ ଆଧାର କାର୍ଡକୁ ଯୋଡ଼ିବା ଲାଗି ଅନୁମତି ଦିଆଗଲେ ଅଧିକରୁ ଅଧିକ ଅଣନାଗରିକମାନେ ଭୋଟ ଦେବାର ସୁବିଧା ପାଇଯିବେ ବୋଲି ବିରୋଧୀ ସାଂସଦମାନେ ମତ ଦେଇଥିଲେ।
ଆଧାର କାର୍ଡ ବାସସ୍ଥାନ ସଂକ୍ରାନ୍ତ ଏକ ପରିଚୟପତ୍ର। ଏହା ନାଗରିକତ୍ବର ପରିଚୟପତ୍ର ନୁହେଁ। ତେଣୁ ଭୋଟର କାର୍ଡ ସହିତ ଆଧାର କାର୍ଡକୁ ଯୋଡ଼ିବା ଦ୍ବାରା ଅଣ ନାଗରିକମାନଙ୍କୁ ଭୋଟଦାନ ଅଧିକାର ମିଳିଯିବ ବୋଲି କଂଗ୍ରେସ ସାଂସଦ ଶଶୀ ଥରୁର କହିଥିଲେ।
ଭୋଟଦାନ ଏକ ଆଇନଗତ ଅଧିକାର। ଭୋଟର ପରିଚୟପତ୍ର ସହିତ ଆଧାରକୁ ଯୋଡ଼ିବା ଠିକ ନୁହେଁ ବୋଲି ମଧ୍ୟ କଂଗ୍ରେସ ସାଂସଦ ମନିଷ ତିୱାରୀ କହିଥିଲେ। ସରକାର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଯୁକ୍ତି ବାଢ଼ି ଉକ୍ତ ବିଲ୍କୁ ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ବିରୋଧ କରିଥିଲେ। ଏଆଇଏମଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ମଧ୍ୟ ଉକ୍ତ ବିଲ୍କୁ ତୀବ୍ର ବିରୋଧ କରିଥିଲେ। ଭୋଟ ପରିଚୟପତ୍ର ସହିତ ଆଧାର ନମ୍ବରକୁ ଯୋଡ଼ିବା ଏକ ତ୍ରୁଟି । ଏହା ଗଣତନ୍ତ୍ର ଏବଂ ନାଗରିକମାନଙ୍କ ଅଧିକାରକୁ ଦୁର୍ବଳ କରିବ ବୋଲି ସେ କହିଥିଲେ। ଲଖିମପୁର ଖେରି ହିଂସା ଘଟଣାରେ ବିରୋଧୀ ସାଂସଦମାନେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ସ୍ଳୋଗାନମାନ ଦେଇଥିଲେ। ଏହାରି ଭିତରେ ଆଇନମନ୍ତ୍ରୀ କିରଣ ରିଜିଜୁ ନିର୍ବାଚନ ଆଇନ ସଂଶୋଧନ ବିଲ୍ ଆଗତ କରିଥିଲେ। ବିରୋଧୀ ଦଳଙ୍କ ବିରୋଧ ଠିକ୍ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ନକଲି ଭୋଟିଂକୁ ରୋକିବା ପାଇଁ ଏହା କରାଯାଉଛି ବୋଲି ସେ ମତ ଦେଇଥିଲେ। ତେଣୁ ଏ କ୍ଷେତ୍ରରେ ବିରୋଧୀ ଦଳ ସରକାରଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି ରିଜିଜୁ କହିଥିଲେ। ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଆଇନ ଓ କାର୍ମିକ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ବିଲ୍ରେ ଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକୁ ସୁପାରିସ କରିଛି। ତେଣୁ ନିର୍ବାଚନ ବ୍ୟବସ୍ଥାକୁ ଏହା ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ କରିବ ବୋଲି ମନ୍ତ୍ରୀ ଯୁକ୍ତି ବାଢ଼ିଥିଲେ।