ସମ୍ପୂର୍ଣ୍ଣ ଟିକା ନେଇଥିବା ବିଦେଶଯାତ୍ରୀଙ୍କ କୋଭିଡ୍‌ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଉଲ୍ଲେଖ ରହିବ

ନୂଆଦିଲ୍ଲୀ: ଭାରତୀୟଙ୍କ ଟିକାକରଣ ସ୍ଥିତିକୁ ନେଇ ଭାରତ-ଇଂଲଣ୍ଡ ଟଣାଓଟରା ପରେ ସ୍ଥିର କରାଯାଇଛି ଯେ ଏଣିକି ସମ୍ପୂର୍ଣ୍ଣ (୨ ଡୋଜ୍) ଟିକା ନେଇଥିବା ଏବଂ ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ କୋୱିନ୍ ସାର୍ଟିଫିକେଟରେ ଜନ୍ମ ତାରିଖ ଉଲ୍ଲେଖ ରହିବ। ଏହା ଡବ୍ଲୁଏଚ୍‌ଓର ମାନଦଣ୍ଡକୁ ପୂରଣ କରିବ ଏବଂ ଜନ୍ମ ତାରିଖ ତାରିଖ-ମାସ-ବର୍ଷ ଫର୍ମାଟରେ ଲେଖା ରହିବ। ବର୍ତ୍ତମାନ ସୁଦ୍ଧା ସାର୍ଟିଫିକେଟରେ ନାମ ଓ ଟିକାକରଣ ସ୍ଥାନ ସହ କେବଳ ବୟସ ଉଲ୍ଲେଖ ରହୁଥିଲା। ଆସନ୍ତା ସପ୍ତାହରୁ ନୂତନ ନିୟମ କାର୍ଯ୍ୟକାରୀ ହେବ।

ନିକଟରେ ଇଂଲଣ୍ଡ ସରକାର ନିଜର ଟ୍ରାଭେଲ ଗାଇଡ୍‌ଲାଇନରେ ପରିବର୍ତ୍ତନ କରିଛନ୍ତି ଏବଂ ଭାରତର କୋଭିସିଲ୍‌ଡ ଟିକାକୁ ସ୍ବୀକୃତି ଦେଇଛନ୍ତି। କିନ୍ତୁ ଇଂଲଣ୍ଡ ସରକାର ଭାରତର ସାର୍ଟିଫିକେସନ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଭାରତ ସରକାର ଏହାକୁ ସମାଲୋଚନା କରିବା ସହ କୂଟନୈତିକ ଚ୍ୟାନେଲ ଜରିଆରେ ଭାରତୀୟ ଟିକା ଓ ସାଟିଫିକେଟକୁ ସ୍ବୀକୃତି ଦେବାକୁ ଦାବି ଜଣାଇଥିଲେ। ଭାରତ ସ୍ପଷ୍ଟ କରିଛି ଯେ, କୋଭିସିଲ୍‌ଡ ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କୁ ଯଦି ଇଂଲଣ୍ଡ ସ୍ବୀକୃତି ନ ଦେବ ତେବେ ଇଂଲଣ୍ଡର ଯେଉଁ ଯାତ୍ରୀମାନେ ଭାରତ ଆସୁଛନ୍ତି ସେମାନଙ୍କ ପ୍ରତି ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରାଯିବ। ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ଅଧ୍ୟକ୍ଷ ଆର୍‌ଏସ୍ ଶର୍ମାଙ୍କୁ ସାକ୍ଷାତ୍ କରି ଆଲୋଚନା କରିବା ପରେ ନିଷ୍କର୍ଷ ମିଳିଲା ଯେ କୋଭିସିଲ୍‌ଡ ଟିକାକୁ ନେଇ ଇଂଲଣ୍ଡର କୌଣସି ଆପତ୍ତି ନାହିଁ। ଏହି ଟିକାକୁ ଇଂଲଣ୍ଡ ସ୍ବୀକୃତି ଦେଉଛି, କିନ୍ତୁ ଏହାର ସାଟିର୍ଫିକେଟକୁ ଗ୍ରହଣ କରୁନାହିଁ। ତେଣୁ ସମ୍ପୂର୍ଣ୍ଣ ଟିକା ନେଇଥିବା ଭାରତୀୟକୁ ବି ଇଂଲଣ୍ଡ ଗଲେ ଟିକା ନେଇ ନ ଥିବା ଯାତ୍ରୀ ପରି କ୍ବାରେଣ୍ଟାଇନରେ ରହିବାକୁ ପଡ଼ୁଛି। ଭାରତ ଏହାକୁ ପାତରଅନ୍ତରମୂଳକ ବୋଲି ଅଭିଯୋଗ କରିଛି। ଆର୍‌ଏସ୍‌ ଶର୍ମା କହିଛନ୍ତି ଯେ, ଭାରତ ଦେଉଥିବା ସାର୍ଟିଫିକେଟକୁ ନେଇ କୌଣସି ସମସ୍ୟା ନ ଥିଲା। ଏହା କିଛି ଲୋକଙ୍କ ଦ୍ବାରା ଉଠାଯାଇଥିବା ଏକ ସମ୍ପୂର୍ଣ୍ଣ ଭିତ୍ତିହୀନ ବିବାଦ। ତେବେ ଭାରତୀୟ ସାର୍ଟିଫିକେଟରେ ଏଣିକି କେବଳ ବୟସ ବଦଳରେ ସମ୍ପୂର୍ଣ୍ଣ ଜନ୍ମ ତାରିଖ ଉଲ୍ଲେଖ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର