ନୂଆଦିଲ୍ଲୀ : ଜେଡିୟୁ ଜାତୀୟ ସଭାପତି ଆର୍ସିପି ସିଂହ ଏବଂ ଏଲ୍ଜେପି ଜାତୀୟ ସଭାପତି ପଶୁପତି ପାରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ କ୍ୟାବିନେଟ୍ରେ ସାମିଲ ହୋଇଛନ୍ତି। ବିଜେପି ଉଭୟ ଜେଡିୟୁ ଏବଂ ଏଲ୍ଜେପିକୁ କେନ୍ଦ୍ରରେ ଏକାଠି କରିପାରିଛି। ପଶୁପତି ପାରସ ହାଜିପୁରର ଜଣେ ଦଳିତ (ପାଶ୍ବାନ୍) ସାଂସଦ। ଏଲ୍ଜେପି ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ୍ଙ୍କ ସେ ସାନ ଭାଇ। ରାମ ବିଳାସ ପାଶ୍ବାନ୍ଙ୍କ ପରଲୋକ ପରେ ଏଲ୍ଜେପି କୋଟାର ଏକ ମନ୍ତ୍ରୀ ପଦ ଖାଲି ପଡ଼ିଥିଲା। ରାମ ବିଳାସ ପାଶ୍ବାନ୍ଙ୍କ ପୁଅ ଚିରାଗ ପାଶ୍ବାନ୍ ଏହି ପଦ ପାଇଥାନ୍ତେ। କିନ୍ତୁ ବିଜେପି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଲାନି।
ବିହାରରେ ଗତ ନିର୍ବାଚନରେ ଏଲ୍ଜେପି ଯୋଗୁଁ ଜେଡିୟୁର ବଡ଼ କ୍ଷତି ହୋଇଥିବା କୁହାଯାଉଛି।। ତେଣୁ ବିହାର ସରକାରରେ କୌଣସି ପ୍ରକାର ଅସ୍ଥିରତା ନଆଣିବା ସହ ନୀତୀଶଙ୍କୁ ସନ୍ତୁଷ୍ଟ କରିବାପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି। ଏହା ସ୍ପଷ୍ଟ ହୋଇଯାଉଛି ଯେ, ପୁତୁରା ଚିରାଗ୍ ପାଶ୍ବାନ୍ଙ୍କ ବିରୋଧରେ ବିଦ୍ରୋହ କରିବାପରେ ପାରସ୍ଙ୍କୁ ମନ୍ତ୍ରିପଦ ମିଳିଛି। ପଶୁପତି ପାରସ ମଧ୍ୟ ଜଣେ ଅଭିଜ୍ଞ ନେତା। ସେ ହାଜିପୁର ଲୋକସଭା ସାଂସଦ। ନୀତୀଶ ସରକାରରେ ସେ ପଶୁପାଳନ ଏବଂ ମତ୍ସ୍ୟ ସମ୍ପଦ ବିଭାଗରେ ମନ୍ତ୍ରୀ ଥିଲେ। ୧୯୭୭ରେ ସେ ଅଲୌଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦୀର୍ଘ ଦିନ ଧରି ସେ ଏହି ନିର୍ବାଚନମଣ୍ଡଳିରୁ ପ୍ରତିନିଧିତ୍ବ କରିଥିଲେ। ୨୦୧୫ ରେ ସେ ବିଧାନସଭା ନିର୍ବାଚନ ହାରିଲେ ଏବଂ ଜଣେ ଏମ୍ଏଲ୍ସି ହେଲେ। ଏହାପରେ ସେ ବିହାରର ମନ୍ତ୍ରୀ ହେଲେ।
ଅନ୍ୟପକ୍ଷେ ଜେଡିୟୁ ମଧ୍ୟ ମୋଦୀ କ୍ୟାବିନେଟ୍ରେ ସାମିଲ ହୋଇଛି। ୨୦୧୭ରୁ ଜେଡିୟୁ ଏନ୍ଡିଏରେ ସାମିଲ ହୋଇଥିଲେ ସୁଦ୍ଧା କେନ୍ଦ୍ର କ୍ୟାବିନେଟ୍ଠାରୁ ଏହା ଦୂରରେ ଥିଲା। କିନ୍ତୁ ମୋଦୀ କ୍ୟାବିନେଟ୍ ୨.୦ରେ ଜେଡିୟୁକୁ ସ୍ଥାନ ମିଳିଛି। ଜେଡିୟୁ ସଭାପତି ରାମ ଚନ୍ଦ୍ର ପ୍ରସାଦ ସିଂହ ମୋଦୀ କ୍ୟାବିନେଟ୍ରେ ମନ୍ତ୍ରିପଦ ପାଇଛନ୍ତି। ତେବେ ଆର୍ସିପି ସିଂହଙ୍କୁ ବଛାଯିବା ପଛରେ ଏକ ବଳିଷ୍ଠ କାରଣ ରହିଛି। ରାମ ଚନ୍ଦ୍ର ଜାତିରେ ଜଣେ କୁର୍ମୀ। ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଖୁବ୍ ବିଶ୍ବସ୍ତ। ନୀତୀଶ ମଧ୍ୟ ସମାନ ଜାତିର। ନୀତୀଶ କୁମାର ଜେଡିୟୁର ଶାସନ ଭାର ୨୦୧୯ ଡିସେମ୍ବରରେ ଆର୍ସିପି ସିଂହଙ୍କୁ ହସ୍ତାନ୍ତର କରିଥିଲେ।