୨୦୧୯-୨୦ ନିର୍ବାଚନୀ ବଣ୍ଡ୍‌ରୁ ବିଜେପି ପାଇଛି ୨,୫୫୫ କୋଟି, ମୋଟ ଅର୍ଥର ୭୬%

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷରେ ବିକ୍ରୀତ ମୋଟ ନିର୍ବାଚନୀ ବଣ୍ଡ୍‌ର ୭୬ ପ୍ରତିଶତ ବିଜେପି ପାଇଛି ବୋଲି ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ୨୦୧୯-୨୦ରେ ସମୁଦାୟ ୩,୩୫୫ କୋଟି ଟଙ୍କା ମୂଲ୍ୟର ଇଲେକ୍ଟୋରାଲ୍‌ ବଣ୍ଡ୍‌ ବିକ୍ରି ହୋଇଥିଲା, ଯେଉଁଥିରୁ ବିଜେପିର ଆୟ ୨,୫୫୫ କୋଟି ଥିଲା। ଏହା ପୂର୍ବ ବର୍ଷ ପାଇଥିବା ୧,୪୫୦ କୋଟି ତୁଳନାରେ ୭୫ ପ୍ରତିଶତ ଅଧିକ।

ସେହି ଏକା ସମୟ ମଧ୍ୟରେ ବିଜେପିର ସବୁଠୁ ବଡ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ୧୭ ପ୍ରତିଶତ କମ୍ ପାଇଛି। ୨୦୧୮-୧୯ ମସିହାରେ କଂଗ୍ରେସ ନିର୍ବାଚନୀ ବଣ୍ଡ୍‌ରୁ ୩୮୩କୋଟି ଟଙ୍କା ପାଇଥିଲା। ୨୦୧୯-୨୦ରେ ଏହା ୩୧୮ କୋଟି ପାଇଛି, ଯାହା ମୋଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ର ୯ ପ୍ରତିଶତ। ବାକି ବିରୋଧୀଙ୍କ ମଧ୍ୟରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୧୦୦.୪୬ କୋଟି, ଶରଦ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି ୨୯.୨୫ କୋଟି, ଶିବସେନା ୪୧ କୋଟି, ଡିଏମ୍‌କେ ୪୫ କୋଟି, ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ୨.୫ କୋଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍‌ମୀ ପାର୍ଟି ୧୮ କୋଟି ଟଙ୍କା ପାଇଛନ୍ତି।

ମାର୍ଚ୍ଚ ୨୦୧୯ରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ବିଜେପିର ଆୟ ଏହାର ପାଞ୍ଚ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଦୁଇଗୁଣ ଅଧିକ ଥିଲା। ମାର୍ଚ୍ଚ ୨୦୨୦ରୁ ଏହି ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ବିକ୍ରି ହୋଇଥିବା ନିର୍ବାଚନୀ ବଣ୍ଡ୍‌ର ୬୮% କେବଳ ବିଜେପି ପାଇଛି। ଯଦିଚ ଏହି ବଣ୍ଡ୍‌ ବ୍ୟବସ୍ଥା ଆରମ୍ଭ ହେବାର ବହୁ ପୂର୍ବରୁ ପାର୍ଟି ସବୁ ରାଜନୈତିକ ଦଳ ମଧ୍ୟରେ ସର୍ବାଧିକ ଆୟ କରିଥିଲା। ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ବିରୋଧ ସତ୍ତ୍ବେ ୨୦୧୭-୧୮ରେ ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ନିର୍ବାଚନୀ ବଣ୍ଡ୍‌, ବ୍ୟକ୍ତିବିଶେଷ ତଥା ଆଂଶିକ ବିଦେଶୀ ମାଲିକାନା ଥିବା ସଂସ୍ଥା ସମେତ କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ରାଜନୈତିକ ଦଳମାନଙ୍କୁ ବେନାମୀ ଭାବରେ ପାଣ୍ଠି ଯୋଗାଇବାକୁ ଅନୁମତି ଦେଇଥାଏ।

ସମ୍ବନ୍ଧିତ ଖବର