ନୂଆ ରାଫେଲ୍‌ ରିପୋର୍ଟ ନେଇ କଂଗ୍ରେସକୁ ଘେରିଲା ବିଜେପି: ଆଇଏନ୍‌ସି ଅର୍ଥ ‘ଆଇ ନିଡ୍‌ କମିସନ’

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ଲାଞ୍ଚ କାରବାର ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିବା ପରେ ଆଜି କଂଗ୍ରେସକୁ ଘେରିଛି ବିଜେପି। ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଲାଞ୍ଚ ବ୍ୟତୀତ କଂଗ୍ରେସ ଦ୍ବାରା ଆଉ କିଛି ହୁଏ ନାହିଁ। ଆଇଏନ୍‌ସି ଅର୍ଥ ହେଉଛି ‘ଆଇ ନିଡ୍‌ କମିସନ (ମତେ କମିସନ ଲୋଡ଼ା)’ ଏବଂ ରାହୁଲ ଗାନ୍ଧି ତୁରନ୍ତ ଏ ବାବଦରେ ତାଙ୍କର ଜବାବ ଦେବାକୁ ହେବ। ସମ୍ବିତ କହିଛନ୍ତି ଯେ ୨୦୧୩ ପୂର୍ବରୁ କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫେଲ ଚୁକ୍ତି ପାଇଁ ୬୫ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା। ତେଣୁ କଂଗ୍ରେସ ନେତୃତ୍ବାଧୀନ ସରକାର ଅମଳରେ ହିଁ ଏହି ଚୁକ୍ତି ପାଇଁ ଲାଞ୍ଚ କାରବାର ହୋଇଥିବା ଏବେ ସମସ୍ତେ ଜାଣିସାରିଛନ୍ତି। ୨୦୦୭ ଏବଂ ୨୦୧୨ ମଧ୍ୟରେ ରାଫେଲ ଚୁକ୍ତିରେ ହୋଇଥିବା ଏହି ଲାଞ୍ଚ କାରବାର ପ୍ରସଙ୍ଗରେ ଦେଶ କଂଗ୍ରେସଠାରୁ ଜବାବ ଚାହୁଛି ବୋଲି ସମ୍ବିତ କହିଛନ୍ତି।

କଂଗ୍ରେସ ବିନା କମିସନରେ କିଛି କରିପାରେ ନାହିଁ ବୋଲି ମତ ଦେଇ ବିଜେପି ପ୍ରବକ୍ତା କହିଛନ୍ତି ଯେ କଂଗ୍ରେସ କମିସନ କାରବାରରେ ରେକର୍ଡ ଭାଙ୍ଗି ସାରିଛି। କିଛି ମାସ ପୂର୍ବରୁ ଫ୍ରାନ୍ସର ଏକ ମିଡିଆ ରିପୋର୍ଟରେ ରାଫେଲ ଚୁକ୍ତିରେ ଲାଞ୍ଚ କାରବାର ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ଅତି ତରବରିଆ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଥିଲା ଏହି ସମୟରେ ବିଜେପି କହିଥିଲା ଯେ ଅପେକ୍ଷା କରାଯାଉ ଏବଂ ଉକ୍ତ ରିପୋର୍ଟର ତଥ୍ୟ ଆସିଲେ ହିଁ ସବୁକିଛି ସ୍ପଷ୍ଟ ହୋଇଯିବ। ଏବେ ଉକ୍ତ ରିପୋର୍ଟ ବାବଦ ତଥ୍ୟ ପ୍ରକାଶ ପାଇଛି ଏବଂ କଂଗ୍ରେସର ମୁଖା ଖୋଲି ଯାଇଛି । ଏ ବାବଦରେ ସର୍ବନିମ୍ନ ଲାଞ୍ଚ ଅର୍ଥ ୬୫ କୋଟି ଟଙ୍କା ଥିବା ବେଳେ ଏହି କମିସନ ଭାରତରେ ମଧ୍ୟସ୍ଥିଙ୍କ ମାଧ୍ୟମରେ ଦିଆଯାଇଥିଲା। ଉକ୍ତ ଦଲାଙ୍କ ନାମ ସୁଶେନ ମୋହନ ଏବଂ ସେ ଭିଭିଆଇ ହେଲିକପ୍ଟର ଚୁକ୍ତିରେ ମଧ୍ୟ ମଧ୍ୟସ୍ଥି ଥିଲେ। ଏବେ ରାହୁଲ ଗାନ୍ଧି ଇଟାଲିରେ ଅଛନ୍ତି ଏବଂ କଂଗ୍ରେସ ଏହି ମାମଲାରେ କାହିଁକି ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା ସେହି ଜବାବ ସେ ଇଟାଲିରୁ ହିଁ ଦିଅନ୍ତୁ ବୋଲି ସମ୍ବିତ କହିଛନ୍ତି।

ସମ୍ବନ୍ଧିତ ଖବର