ନୂଆଦିଲ୍ଲୀ : କଂଗ୍ରେସ ଦଳ ପକ୍ଷରୁ କରାଯାଇଥିବା ସଂକଳ୍ପ ସତ୍ୟାଗ୍ରହକୁ ବିଜେପି କଡ଼ା ସମାଲୋଚନା କରିଛି। ଏହି ସତ୍ୟାଗ୍ରହ କ’ଣ ସମ୍ବିଧାନ ବିରୋଧରେ ନା ରାହୁଲ ଗାନ୍ଧି ମାମଲାରେ ଅଦାଲତ ଦେଇଥିବା ରାୟ ବିରୋଧରେ ନା ସମଗ୍ର ପଛୁଆ ବର୍ଗ ବିରୋଧରେ ରାହୁଲ ଦେଇଥିବା ମନ୍ତବ୍ୟ ବିରୋଧରେ ବୋଲି ବିଜେପି ପ୍ରଶ୍ନ କରିଛି।
ବିଜେପି ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଉକ୍ତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ଜାତିର ଜନକ ସାମାଜିକ କାରଣ ପାଇଁ ସତ୍ୟାଗ୍ରହ କରୁଥିବାବେଳେ ବ୍ୟକ୍ତିଗତ କାରଣ ପାଇଁ ଏବେ କଂଗ୍ରେସ ତଥାକଥିତ ସତ୍ୟାଗ୍ରହ କରୁଛି ବୋଲି ସେ ମତ ରଖିଛନ୍ତି। ସୁରଟ ଅଦାଲତରେ ଏକ ମାନହାନୀ ମାମଲାରେ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବା ଏବଂ ରାୟ ଆଧାରରେ ଲୋକସଭାର ସାଂସଦ ପଦରୁ ସ୍ବୟଂକ୍ରିୟଭାବେ ଅଯୋଗ୍ୟ ଘୋଷଣା ହେବା ପରେ କଂଗ୍ରେସର ଏହି ପ୍ରଦର୍ଶନ ସେମାନଙ୍କ ଅହଂକାରର ନିର୍ଲଜ ପ୍ରଦର୍ଶନ ବୋଲି ସେ କହିଛନ୍ତି। ସତ୍ୟ ପାଇଁ ସଂଗ୍ରାମ କରିବା ସହିତ ଏହି ଆନ୍ଦୋଳନର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।
ତ୍ରିବେଦୀଙ୍କ ମତରେ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ପରେ ରାହୁଲ ଗାନ୍ଧି ସୁରଟ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ। ଏହାପରେ ଆଇନ ଅନୁସାରେ ସେ ଲୋକସଭାର ସଦସ୍ୟ ପଦରୁ ଅଯୋଗ୍ୟ ହେଲେ। ଏହା ପରେ ସତ୍ୟାଗ୍ରହ କ’ଣ ପାଇଁ? ସମଗ୍ର ପଛୁଆ ବର୍ଗକୁ ଆପଣ ଯେଭଳି ଅପମାନିତ କଲେ ତାହାକୁ ଯଥାର୍ଥ ଦର୍ଶାଇବା ପାଇଁ ଏହି ଆନ୍ଦୋଳନ କି? କିମ୍ବା ଆପଣଙ୍କୁ ଦଣ୍ଡିତ କରିଥିବା ଅଦାଲତ ବିରୋଧରେ କି? କିମ୍ବା ଆପଣ ଯେଉଁ ଆଇନ ଅନଯାୟୀ ଅଯୋଗ୍ୟ ହେଲେ ତାହା ବିରୋଧରେ କି? ଏ ନେଇ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ବୋଲି ତ୍ରିବେଦୀ କହିଛନ୍ତି।
୧୯୮୪ ମସିହାର ଶିଖ୍ବିରୋଧୀ ଦଙ୍ଗାରେ ସାମିଲ ଥିବା କିଛି କଂଗ୍ରେସ ନେତା ଆନ୍ଦୋଳନରେ ଥିଲେ ବୋଲି ବିଜେପି ଦର୍ଶାଇଛି। ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ନିକଟରେ କଂଗ୍ରେସ କରିଥିବା ଆନ୍ଦୋଳନ କ’ଣ ଅହିଂସା ବିରୋଧରେ ଥିଲା କି ବୋଲି ତ୍ରିବେଦୀ ପ୍ରଶ୍ନ କରିଛନ୍ତି।