କାନାଡ଼ାର ଏକ ବନ୍ଦ ସ୍କୁଲରୁ ୨୧୫ ପିଲାଙ୍କ ଦେହାବଶେଷ ମିଳିଲା

୧୯୭୮ରେ ବନ୍ଦ ହୋଇଥିଲା ସ୍କୁଲ, ହୃଦୟ ବିଦାରକ ଘଟଣା: ଟ୍ରୁଡୁ

ଟରଣ୍ଟୋ: କାନାଡ଼ାର ଏକ ବନ୍ଦ ସ୍କୁଲରୁ ୨୧୫ ଜଣ ଛୋଟ ପିଲାଙ୍କର ଦେହାବଶେଷ ମିଳିଛି। ଏମାନେ ସେଠାକାର ମୂଳ ଅଧିବାସୀ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ପିଲାଙ୍କର ବୟସ ୩ ବର୍ଷ ଭିତରେ। ଏଭଳି ଘଟଣା ପଦାକୁ ଆସିବା ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଏହାକୁ ହୃଦୟ ବିଦାରକ ବୋଲି କହିଛନ୍ତି। ଏହି ପିଲାମାନେ ବିଟ୍ରିସ କଲମ୍ବିୟାର କାମଲୁପ୍‌ସ ଇଣ୍ଡିଆନ୍ ରେସିଡେନସିଆଲ ସ୍କୁଲର ଛାତ୍ର ଥିଲେ। ୧୯୭୮ ମସିହାରେ ଏହି ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା। ମାଟି ତଳେ କ’ଣ ରହିଛି ତାହାକୁ ରାଡାର ମାଧ୍ୟମରେ ଜାଣି ପାରୁଥିବା ଜଣେ ବିଶେଷଜ୍ଞଙ୍କ ଦ୍ବାରା ଏହି ଘଟଣା ପଦାକୁ ଆସିଛି।

କାନାଡ଼ାର ଆବାସିକ ସ୍କୁଲ ବ୍ୟବସ୍ଥାରେ ମୂଳ ଅଧିବାସୀର ପିଲାମାନଙ୍କୁ ବାଧ୍ୟତାମୂଳକ ଭାବେ ସେମାନଙ୍କ ପରିବାରଠାରୁ ଅଲଗା କରି ରଖାଯାଉଥିଲା। ଏକ ତଥ୍ୟ ଅନୁଯାୟୀ ସାଧାରଣତଃ ୧୮୪୦ ମସିହାରୁ ଗତ ଶତାବ୍ଦୀର ‌ଶେଷ ଦଶକ ପର୍ଯ୍ୟନ୍ତ ଓଟାୱା ପକ୍ଷରୁ ଖ୍ରୀଷ୍ଟିୟାନ ଚର୍ଚ୍ଚ ଦ୍ବାରା ପରିଚାଳିତ ଏହି ସ୍କୁଲଗୁଡ଼ିକରେ ପାଠ ପଢ଼ୁଥିବା ଦେଢ଼ ଲକ୍ଷ ମୂଳବାସିନ୍ଦା ପିଲାଙ୍କୁ ଅକଥନୀୟ ଯାତନା ଦିଆଯାଉଥିଲା। ଆବାସିକ ବିଦ୍ୟାଳୟରେ ପଢ଼ିବା ସମୟରେ ୪୧୦୦ ପିଲାଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର