କୋଲକାତା: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ମୃତ୍ୟୁବରଣ କରିଥିବା ପଶ୍ଚିମବଙ୍ଗର ୫ ଜଣ ପର୍ବତାରୋହୀଙ୍କ ମୃତଦେହ ଆଜି ଆସି କୋଲକାତା ବିମାନ ବନ୍ଦରରେ ପହଞ୍ଚିଛି। ପୂର୍ବ ସୂଚନା ଆଧାରରେ ମୃତକଙ୍କ ପରିବାର ଲୋକେ ବହୁ ଆଗରୁ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ। ବିମାନରୁ ମୃତଦେହ ଅଣାଯିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ବିମାନବନ୍ଦର ଅଞ୍ଚଳ। ଅପେକ୍ଷାରତ ପରିବାର ଲୋକଙ୍କ ଆଖିରୁ ଲୁହ ବହି ଯାଉଥିଲା। ଏପରିକି ସେଠାରେ ଉପସ୍ଥିତ ଦେଖଣାହାରୀ ମଧ୍ୟ କୋହ ସମ୍ବରଣ କରିପାରି ନଥିଲେ। ଶୁଭୟୁନ ଦାସ, ରିଚାର୍ଡ ମଣ୍ଡଳ, ତନୁମୟ ତିୱାରୀ, ବିକାଶ ମକଲ ଏବଂ ସୌରଭ ଘୋଷ ଗତ ୧୧ ତାରିଖରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ହରସିଲରୁ ପର୍ବତାରୋହଣ ଆରମ୍ଭ କରିଥିଲେ।
ସେମାନେ ଲମଖାନା ଦେଇ ଚିତକୁଳରେ ପହଞ୍ଚିବାର ଥିଲା। ହେଲେ ତିନିଦିନ ଧରି ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ କୁମାଉଁ ଅଞ୍ଚଳ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ପର୍ବତାରୋହୀମାନେ ନିଖୋଜ ହୋଇ ଯାଇଥିଲେ। ଉଦ୍ଧାରକାରୀ ଦଳ ୨୨ ତାରିଖ ଦିନ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହ ଚିହ୍ନଟ ହେବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରୁ ଦକ୍ଷିଣ ୨୪ ପ୍ରଗଣାର ନେପାଳଗଞ୍ଜ ଏବଂ ବାରୁଇପୁରସ୍ଥିତ ସେମାନଙ୍କ ଘରକୁ ନିଆଯାଇଥିଲା। ଶୋକାକୁଳ ପରିବେଶରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/56h654f56h4sf23h132sf1h2sfhsfhfsfhhfhf.jpg)