ତାମିଲନାଡ଼ୁ ଡାକ୍ତରଖାନାରେ ଗଦା ହୋଇ ରହୁଛି ଶବ, ସଂପର୍କୀୟଙ୍କୁ ଶବ ବାଛିନେବାକୁ କହୁଛନ୍ତି କର୍ତ୍ତୃପକ୍ଷ

ଚେନ୍ନାଇ: କରୋନା ମହାମାରୀର ଦ୍ବିତୀୟ ଲହରରେ ଦେଶର ବିଭିନ୍ନ ସ୍ଥାନରୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। ଉତ୍ତର ଭାରତ‌ରେ ଗଙ୍ଗା ନଦୀ‌ରେ କିଛିଦିନ ତଳେ କୁଢ଼ କୁଢ଼ ଶବ ଭାସୁଥିବା ଦେଖିବାକୁ ମିଳିବା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଦକ୍ଷିଣ ଭାରତ‌ରେ ତାମିଲନାଡ଼ୁର ଏକ ସରକାରୀ ହସ୍ପିଟାଲରେ ଏକାଧିକ ଶବ ଗୋଟିଏ ଛୋଟ ଘରେ ଗଦା ହୋଇ ରହିଥିବା ଘଟଣା ପଦାକୁ ଆସିଛି। ତାମିଲନାଡ଼ୁର ଥେନି କେ ଭିଲାକୁ ସରକାରୀ ଡାକ୍ତରଖାନାର ଏହି ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ମଧ୍ୟ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏଠାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂପର୍କୀୟମାନେ ଶବ ପାଇଁ ଗଲେ ସେମାନଙ୍କୁ ଶବାଗାର ଭିତରକୁ ପଶି ମୃତଦେହକୁ ବାଛିନେବା ପାଇଁ କୁହାଯାଉଛି।

ଥେନିର ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିଲେ। ଏହାପରେ ତାଙ୍କ ପରିବାର ଲୋକ ଡାକ୍ତରଖାନାକୁ ଶବ ଆଣିବା ପାଇଁ ଯାଇଥିଲେ। ଶବଗୃହର କର୍ମଚାରୀ ତାଙ୍କ ପରିବାର ସଦସ୍ୟଙ୍କୁ ଶବକକ୍ଷରେ ପ୍ରବେଶ କରି ନିଜେ ଶବ ବାଛିନେବାକୁ କହିଥିଲେ। ଏହାପରେ ଉକ୍ତ ହସ୍ପିଟାଲରେ ଶବ ଗଦା ହୋଇରହିବା ସଂପର୍କରେ ଖବର ପଦାକୁ ଆସିଥିଲା। ସଂପର୍କୀୟମାନେ ଘଟଣାସ୍ଥଳକୁ ଶବ ପାଇଁ ଯିବା ସମୟରେ ଅନେକଗୁଡ଼ିଏ ଶବ ଗଦା ହୋଇ ରହିଥିବା ଦେଖି ଚକିତ ହୋଇଯାଇଥିଲେ। ଶବଗୁଡ଼ିକୁ ନୀଳ ପ୍ଲାଷ୍ଟିକ ଜରିରେ ଗୁଡ଼ାଇ ‌ଗୋଟିଏ ସ୍ଥାନରେ ଗଦାକରି ରଖାଯାଇଥିଲା।

ଏହା ଉପରେ ପ୍ରତିକ୍ରିୟା ରଖି ଥେନି ସରକାରୀ ଡାକ୍ତରଖାନାର ଡିନ୍ ବାଲାଜୀ ନାଥନ କହିଛନ୍ତି ୩ ଜଣ ଅଧିକାରୀ ଏହି ଘଟଣାରେ ସଂଶ୍ଳିଷ୍ଟ ଅଛନ୍ତି। ଜଣେ ଠିକା କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପାଇଁ ସୁପାରିସ କରାଯାଇଛି। କରୋନା ରୋଗୀଙ୍କ ମୃତଦେହ ରଖିବା ପାଇଁ ଉଦ୍ଦିଷ୍ଟ ଛୋଟ କକ୍ଷରେ ୩ଟି ଶବ ରଖାଯିବାକୁ କୁହାଯାଇଥିଲା। କିନ୍ତୁ ଗୋଟିଏ ରାତିରେ ୧୫ଟି ଶବ ରହିଥିଲା ବୋଲି ସେ କହିଛନ୍ତି। କର୍ମଚାରୀଙ୍କ ଦ୍ବାରା ପ୍ରୋଟୋକଲ ପାଳନ କରାଯାଇ ନଥିଲା। ତେଣୁ ଏଭଳି ଗଦା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଦୁଇଦିନ ମଧ୍ୟରେ ଶବଗୁଡ଼ିକୁ ଉପଯୁକ୍ତ ଭାବେ ରଖିବା ପାଇଁ ବ୍ୟବସ୍ଥା ହୋଇଯିବ ବୋଲି ଡିନ୍ କହିଛନ୍ତି।

ସମ୍ବନ୍ଧିତ ଖବର