ହସ୍ପିଟାଲ୍‌ରେ ରୋଗୀଙ୍କ ପାଖରେ ଶବ

ନୂଆଦିଲ୍ଲୀ,: ମୁମ୍ବାଇରେ ଏକ ହସ୍ପିଟାଲ୍‌ର କରୋନା ଭାଇରସ୍‌ ୱାର୍ଡ‌୍‌ରେ ଚିକିତ୍ସିତ ହେଉଥିବା କ‌ରୋନା ରୋଗୀଙ୍କ ପାଖରେ ଶବ ରଖାଯାଇଥିବା ଦେଖିବାକୁ ମିଳିଛି। ରୋଗୀଙ୍କ ପାଖରେ କଳା ପଲିଥିନ୍ ବ୍ୟାଗ୍‌ରେ ମୃତ ଶରୀର ରଖାଯାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ମୁମ୍ବାଇର ଲୋକମନ୍ୟ ତିଲକ ହସ୍ପିଟାଲ୍‌ କରୋନା ଭାଇରସ୍‌ ୱାର୍ଡରେ କରୋନା ରୋଗୀ ଏବଂ ସନ୍ଦିଗ୍ଧମାନଙ୍କୁ କିଭଳି ଅବସ୍ଥାରେ ରଖାଯାଉଛି ତା’ର ଅତି ଦୟନୀୟ ଦୃଶ୍ୟ ଏହି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ବିଜେପି ବିଧା‌ୟକ ନିତେଶ ରାଣେଙ୍କ ଦ୍ବାରା ସୋ‌ସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ୍‌ କରାଯାଇଛି। ଗୋଟିଏ ୱାର୍ଡରେ ୧୦ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ‌ସେମାନଙ୍କ ବେଡ୍‌ ନିକଟରେ ପ୍ରାୟ ୬ଟି ମର ଶରୀର କଳା ପଲିଥିନ୍‌ରେ ଗୁଡ଼ା ହୋଇ ଥୁଆଯାଇଥିବା ଦେଖିବାକୁ ମିଳିଛି। ବିଧାୟକ ରାଣେ କହିଛନ୍ତି, ଏହା ହେଉଛି ମୁମ୍ବାଇ ହସ୍ପିଟାଲ୍‌ର ଅବସ୍ଥା। ରୋଗୀମାନେ ମୃତ ଶରୀର ନିକଟରେ ଶୋଇଛନ୍ତି। ଏହା ଅତି ଭୟଙ୍କର। ପ୍ରଶାସନର ଦାୟିତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ରାଣେ। ତେବେ ଲୋକମାନ୍ୟ ତିଲକ ହସ୍ପିଟାଲ୍‌ର ସିଅନ୍‌ ଡିନ୍‌ ଡ, ପ୍ରମୋଦ ଇଙ୍ଗାଲେ ଏକ ବିବୃତି ଜାରି କରି କହିଛନ୍ତି ଯେ ରୋଗୀଙ୍କ ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ହସ୍ପିଟାଲ୍‌ ପ୍ରଶାସନ ପାଇଁ ଏକ ଚ୍ୟାଲେଂଜ ‌ହୋଇଛି। କାରଣ କରୋନା ଭଳି ଭୟଙ୍କର ସ୍ଥିତିରେ ଅଧିକାଂଶ ‌ରୋଗୀଙ୍କ ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟ ନେବାକୁ ଚାହିନାହାନ୍ତି। ଏହା ହସ୍ପିଟାଲ୍‌ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟ‌ାଲେଂଜ।

ସମ୍ବନ୍ଧିତ ଖବର