ୱାସିଂଟନ: ମହାକାଶଚାରୀ ସୁନୀତା ୱିଲିୟମ୍‌ସ ଓ ବ୍ୟାରି ଇ ୱିଲ୍‌ମୋରଙ୍କ ବିନା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରୁ ପୃଥିବୀକୁ ଫେରିଛି ବୋଇଂର ଷ୍ଟାର୍‌ଲାଇନର୍‌। ଗୁମ୍‌ଡ୍ରପ୍ (ଗୋଲ ଚକୋଲେଟ୍‌) ଆକୃତିର ଏହି କ୍ୟାପସୁଲ୍ ପ୍ରାୟ ୬ ଘଣ୍ଟା ପୂର୍ବରୁ ଆଇଏସ୍ଏସ୍‌ରୁ ବାହାରିଥିଲା ଏବଂ ପୃଥିବୀର କକ୍ଷପଥ ଅତିକ୍ରମ କରିବା ପରେ ପାରାସୁଟ୍ ଦ୍ୱାରା ଧୀରେ ଧୀରେ ନ୍ୟୁ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡସ୍ ସ୍ପେସ୍ ହାର୍ବରରେ ଆଜି ଭାରତୀୟ ସମୟ ସକାଳ ସାଢ଼େ ୯ଟାରେ (୦୪:୦୧ ଜିଏମ୍‌ଟି) ଅବତରଣ କରିଥିଲା।

Advertisment

ଅନେକ ବର୍ଷର ବିଳମ୍ବ ପରେ, ଷ୍ଟାର୍‌ଲାଇନର୍‌ ଜୁନ୍ ମାସରେ ଏକ ସପ୍ତାହବ୍ୟାପୀ ପରୀକ୍ଷଣ ଅଭିଯାନ ପାଇଁ ମହାକାଶ କେନ୍ଦ୍ରକୁ ଯାଇଥିଲା। କିନ୍ତୁ ଅର୍ବିଟାଲ ଲାବୋରେଟୋରିକୁ ଲୋକଙ୍କୁ ନେବା-ଆଣିବା ପାଇଁ ପ୍ରମାଣିତ ହେବା ପୂର୍ବରୁ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଥ୍ରଷ୍ଟର ତ୍ରୁଟି ଓ ହିଲିୟମ୍ ଲିକ୍ ଭଳି ସମସ୍ୟା ଏହି ଯୋଜନାକୁ ବାଧା ଦେଇଥିଲା। ନାସା ଶେଷରେ ନିଷ୍ପତ୍ତି ନେଇଥିଲା ଯେ ବୁଚ୍ ୱିଲ୍‌ମୋର ଓ ସୁନୀତା ୱିଲିୟମ୍‌ସଙ୍କୁ ଷ୍ଟାର୍‌ଲାଇନର୍ ବଦଳରେ ସ୍ପେସ୍ ଏକ୍ସର କ୍ରୁ ଡ୍ରାଗନ୍‌ରେ ଫେରାଇ ଆଣିବା ଅଧିକ ସୁରକ୍ଷିତ ହେବ। ଏଥିପାଇଁ ସେମାନଙ୍କୁ ଫେବ୍ରୁଆରି ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ମହାକାଶଯାନଟି ପାରାସୁଟ୍ ଦ୍ୱାରା ଧୀରେ ଧୀରେ ବାୟୁମଣ୍ଡଳରେ ପୁନଃପ୍ରବେଶ ସମୟରେ ୩,୦୦୦ ଡିଗ୍ରି ଫାରେନହାଇଟ୍ (୧,୬୫୦ ଡିଗ୍ରି ସେଲସିୟସ) ତାପମାତ୍ରା ହେତୁ ଲାଲ ଦେଖାଯିବା ସହ ଏକ ସୋନିକ୍ ବୁମ୍‌ (ବିସ୍ଫୋରଣ ଭଳି ଶବ୍ଦ) ଶୁଣିବାକୁ ମିଳିଥିଲା। 

ଶତାବ୍ଦୀ ପୁରୁଣା ଏରୋସ୍ପେସ୍ କମ୍ପାନି ଏହି ଅଭିଯାନ ସମୟରେ ଅନୁଭବ କରିଥିବା ବୈଷୟିକ ସମସ୍ୟାଗୁଡ଼ିକର କାରଣ ଜାଣିବା ଓ ସେଗୁଡ଼ିକ ସୁଧାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ନାସାର ବାଣିଜ୍ୟିକ କ୍ରୁ କାର୍ଯ୍ୟକ୍ରମର ପରିଚାଳକ ଷ୍ଟିଭ୍ ଷ୍ଟିଚ୍ ଚଳିତ ସପ୍ତାହରେ ସାମ୍ବାଦିକମାନଙ୍କୁ କହିଛନ୍ତି, ସମସ୍ତ ତ୍ରୁଟିର ସମାଧାନ କରି ଲକ୍ଷ୍ୟ ହାସଲ ଲାଗି ବୋଇଂ ପ୍ରତିଶ୍ରୁତିବଦ୍ଧ। ନାସା ଏବେ ପରବର୍ତ୍ତୀ ପଦକ୍ଷେପ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ମିସନ୍‌ର ପ୍ରଦର୍ଶନର ସମସ୍ତ ଦିଗକୁ ସତର୍କତାର ସହ ସମୀକ୍ଷା କରିବ।