ନୂଆଦିଲ୍ଲୀ: ‘ଓମିକ୍ରନ୍‌’ ସହ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଶ୍ବରେ ଅନ୍ୟ ରାଷ୍ଟ୍ରରେ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଥିବାବେଳେ ଭାରତରେ ଏସଂକ୍ରାନ୍ତରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ। କୋଭିଡ ବୁଷ୍ଟର ଏବଂ ଅତିରିକ୍ତ ଡୋଜ୍‌ ସଂକ୍ରାନ୍ତରେ ଆସନ୍ତା ୨ ସପ୍ତାହରେ ନୀତି ଆସିବ ବୋଲି କୋଭିଡ୍‌ ଟାସ୍କ ଫୋର୍ସ ମୁଖ୍ୟ ଡାକ୍ତର ଏନ୍‌କେ ଆରୋରା କହିଛନ୍ତି। ଏହି ନୀତି ଆଧାରରେ କେଉଁମାନଙ୍କୁ ବୁଷ୍ଟର ଏବଂ ଅତିରିକ୍ତ ଡୋଜ୍‌ ଦରକାର ପଡ଼ିବ ଏବଂ କେଉଁ ସମୟରେ ଦିଆଯିବ ସେ ନିଷ୍ପତ୍ତି ନିଆଯିବ। ଡାକ୍ତର ଆରୋରା କହିଛନ୍ତି, ବୁଷ୍ଟର ଏବଂ ଅତିରିକ୍ତ ଡୋଜ୍‌ ମଧ୍ୟରେ ଏକ ତଫାତ ରହିଛି। ଦୁଇଟି ଡୋଜ୍‌ ନେବାପରେ ଏକ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବୁଷ୍ଟର ଡୋଜ୍‌ ଦିଆଯାଇଥାଏ । ଅନ୍ୟପକ୍ଷେ ଯେଉଁମାନଙ୍କର ଅନ୍ୟାନ୍ୟ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ରହୁଛି ଏବଂ ଯେଉଁ ମାନଙ୍କ ରୋଗପ୍ରତିରୋଧକ ଶକ୍ତି ଖୁବ୍‌ କମ୍‌ ସେମାନଙ୍କୁ ଅତିରିକ୍ତ ଡୋଜ୍‌ ଦିଆଯିବ।

Advertisment

‘ଓମିକ୍ରନ୍‌’କୁ ନେଇ ବିଶ୍ବବ୍ୟାପୀ ଭୟ ବଢ଼ିଥିବାବେଳେ ଶିଶୁଙ୍କୁ ଟିକାକରଣ ପାଇଁ ଚିନ୍ତା ବଢ଼ିଛି। ଏହି ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ରଖି ଡାକ୍ତର ଆରୋରା କହିଛନ୍ତି, ୪୪ କୋଟିରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଟିକାକରଣ ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଛି। ୧୮ ବର୍ଷରୁ କମ୍‌ ୪୪ କୋଟିରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଟିକାକରଣ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି। ଏହାଦ୍ବାରା ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ଶିଶୁଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ଏବଂ ସୁସ୍ଥ ଶିଶୁଙ୍କୁ ମଧ୍ୟ ଟିକା ଦିଆଯିବ। ଖୁବ୍‌ଶୀଘ୍ର ଏହି ଯୋଜନା ସାର୍ବଜନୀନ କରାଯିବ ବୋଲି ସେ କହିଛନ୍ତି। ଜାଇକଭ୍‌-ଡି, କୋଭାକ୍ସିନ୍‌, କୋର୍ବେଭାକ୍ସ ଏବଂ ଏମ୍‌ଆରଏନ୍‌ଏ ଟିକା ଶିଶୁମାନଙ୍କ ପାଇଁ ଉପଲବ୍ଧ ଅଛି ବୋଲି ଡାକ୍ତର ଆରୋରା କହିଛନ୍ତି।