ରାୟପୁର : ଛତିଶଗଡ଼ର ଯଶପୁର ଜିଲ୍ଲା ଅନ୍ତର୍ଗତ ନିପଟ ଗାଁ ପନ୍ଦରପାଢ଼ରେ ଘଟିଛି ଏକ ବିରଳ ଘଟଣା। ଜଣେ ୮ ବର୍ଷ ବାଳକର କାମୁଡ଼ାରେ ମରିଛି ଏକ ବିଷଧର ନାଗସାପ। ଘଟଣାଟି ଦୁଇଦିନ ତଳେ ଘଟିଥିବା ବେଳେ ସୋସିଆଲ ମିଡ଼ିଆରେ ଖବରଟି ଭାଇରାଲ ହୋଇଛି। ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ବାଳକଟି ଗତକାଲି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛି। ଘର ବାଡ଼ିପଟ ଅଗଣାରେ ଦୀପକ ନାମକ ପିଲାଟି ମନଖୁସିରେ ଖେଳୁଥିଲା। ହଠାତ୍‌ ଏକ ନାଗସାପ ତା’ ହାତରେ ଗୁଡ଼େଇ ହେବା ସହ ତାକୁ କାମୁଡ଼ିଦେଲା। ସେ ତାକୁ ଛାଟି ଫିଙ୍ଗିବାକୁ ଚେଷ୍ଟା କଲେ ବି ସାପଟି ଗଲାନାହିଁ। କାମୁଡ଼ା କ୍ଷତ ସହ ସାପଟି ଜୋରରେ ହାତରେ ଗୁଡ଼େଇ ହୋଇଥିବାରୁ ବାଳକକୁ ହେଉଥିଲା ଅସହ୍ୟ ଯନ୍ତ୍ରଣା। ଅନ୍ୟ କିଛି ଉପାୟ ନ ପାଇ ଜୀବନବିକଳରେ ସେ ସାପକୁ ଦୁଇଥର ଜୋରରେ କାମୁଡ଼ିଦେଲା।

Advertisment

ଘଟଣାସ୍ଥଳରେ ସାପର ମୃତ୍ୟୁ ହେଲା ଏବଂ ସାପ କବଳରୁ ମୁକ୍ତି ପାଇ ବାଳକଟି ଯାଇ ଘରେ ବାପାମାଆଙ୍କୁ ଏ କଥା କହିଲା। ବାଳକକୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନିଆଯାଇ ଆଣ୍ଟିଭେନମ୍ ଦିଆଗଲା ଏବଂ ଗୋଟିଏ ଦିନ ପର୍ଯ୍ୟବେକ୍ଷଣରେ ରଖାଗଲା। କିନ୍ତୁ କାମୁଡ଼ାସ୍ଥାନକୁ ପରୀକ୍ଷା କରି ଡାକ୍ତରମାନେ ବିଷର କୌଣସି ଲକ୍ଷଣ ଦେଖିବାକୁ ପାଇଲେ ନାହିଁ। ତେଣୁ ବିଷାକ୍ତ ସାପ କାମୁଡ଼ିଛି ସତ କିନ୍ତୁ ବିଷ ଛାଡ଼ି ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ଏହାପରେ ଗତକାଲି ଡାକ୍ତରମାନେ ଦୀପକକୁ ଡିସ୍‌ଚାର୍ଜ କରିଦେଇଥିଲେ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।