ବିଏସ୍‌ପି ହେଉଛି ବିଜେପିର ଅଘୋଷିତ ମୁଖପାତ୍ର: ପ୍ରିୟଙ୍କା ଭଦ୍ରା

ନୂଆଦିଲ୍ଲୀ: ଆଗାମୀ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସେଥିରେ କଂଗ୍ରେସ ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ଆଉ ପରସ୍ପର ପ୍ରତି ଯୁଦ୍ଧଂ ଦେହି ଡାକରା ଦେବେନାହିଁ ବୋଲି ରହିଥିବା ଧାରଣା ଭୁଲ ପ୍ରମାଣିତ ହେବାକୁ ଯାଉଛି। ବିଶେଷକରି ସମ୍ପ୍ରତି ଚୀନ୍ ସହ ଭାରତର ସଂଘର୍ଷମୟ ପରିସ୍ଥିତି ପରିପ୍ରେକ୍ଷୀରେ ଦୁଇ ଦଳର ଭିନ୍ନ ଆଭିମୁଖ୍ୟ ହିଁ ରାଜନୀତି ବିଶେଷଜ୍ଞମାନଙ୍କୁ ଏପରି ଭାବିବାକୁ ବାଧ୍ୟ କରିଛି। ଚୀନ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ମାୟାବତୀଙ୍କ ନେତୃତ୍ବାଧୀନ ବିଏସ୍‌ପି ପକ୍ଷରୁ ଏକ ପ୍ରେସ୍ ଇସ୍ତାହାର ଜାରି କରିବାର କେଇ ଘଣ୍ଟା ଭିତରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା କଟୁ ସମାଲୋଚନା କରିଛନ୍ତି। ସରକାରଙ୍କୁ ସମର୍ଥନ ସମ୍ପର୍କିତ ବିଏସ୍‌ପିର ଏକ ଟ୍ବିଟ୍‌କୁ ପ୍ରିୟଙ୍କା ଉଦ୍ଧାର କରି କିଛି ବିରୋଧୀ ନେତା ନରେନ୍ଦ୍ର ମୋଦୀଙ୍କ ବ୍ୟବସ୍ଥାର ଅଘୋଷିତ ମୁଖପାତ୍ର ଭଳି କାମ କରୁଛନ୍ତି ବୋଲି କଟାକ୍ଷ କରିଛନ୍ତି। ‘କିଛି ବିରୋଧୀ ଦଳ ବିଜେପିର ଅଘୋଷିତ ମୁଖପାତ୍ର ହେବା କଥା ମୋ ବୁଝିବାର ବାହାରେ ବୋଲି ଆଗରୁ ମୁଁ କହିଛି। ତେବେ ବର୍ତ୍ତମାନ କୌଣସି ରାଜନୈତିକ ଦଳ ସହ ଠିଆହେବାର ସମୟ ନୁହେଁ, ବରଂ ଦେଶର ସାର୍ବଭୌମତ୍ବ ପାଇଁ ଦେଶ ସହିତ ଛିଡ଼ା ହେବା ହିଁ ସମୟର ଆହ୍ବାନ। ଯେଉଁ ସରକାର ଦେଶର କିଛି ଅଞ୍ଚଳ ହରାଇ ଦେଇଛନ୍ତି, ଆମ ସମସ୍ତଙ୍କୁ ସେଭଳି ସରକାର ବିରୋଧରେ ସ୍ବର ଉତ୍ତୋଳନ କରିବା ଜରୁରୀ’ ବୋଲି ପ୍ରିୟଙ୍କା ତାଙ୍କ ଟ୍ବିଟରରେ ଲେଖିଛନ୍ତି। ସୂଚନା ଥାଉ କି, ଆଜି ସକାଳେ ମାୟାବତୀ କହିଥିଲେ ଯେ ତାଙ୍କ ବିଏସ୍‌ପି ହେଉଛି ଏକ ଶୃଙ୍ଖଳିତ ଦଳ। କେନ୍ଦ୍ରରେ ଯେଉଁ ଦଳ ଶାସନରେ ଥାଆନ୍ତୁ ପଛକେ, ଦେଶର ପ୍ରତିରକ୍ଷା ଓ ସୁରକ୍ଷା ମାମଲାରେ ତାଙ୍କ ଦଳ ସବୁବେଳେ କେନ୍ଦ୍ର ସରକାରଙ୍କ ସହ ରହି ଆସିଛି।

ସମ୍ବନ୍ଧିତ ଖବର