ନୂଆଦିଲ୍ଲୀ: ପର୍ଯ୍ୟଟନ ସ୍ଥଳୀର ସାମଗ୍ରିକ ବିକାଶ ଉପରେ ବଜେଟରେ ଧ୍ୟାନ ଦିଆଯାଇଛି। ସରକାରଙ୍କ ଦ୍ୱାରା ଆୟୋଜିତ ୧୨ଟି ବଜେଟ୍ ପରବର୍ତ୍ତୀ ୱେବିନାରର ସପ୍ତମ ୱେବିନାରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି। ‘ମିସନ ମୋଡ୍ରେ ପର୍ଯ୍ୟଟନର ବିକାଶ’ ଉପରେ ସେ ମତ ରଖିଛନ୍ତି।
ପ୍ରଧାନମନ୍ତ୍ରୀ ଦେଶରେ ପର୍ଯ୍ୟଟନର ବିଶାଳ ପରିସର ଉପରେ ଆଲୋକପାତ କରିଥିଲେ ଏବଂ ଉପକୂଳ ପର୍ଯ୍ୟଟନ, ସମୁଦ୍ରକୂଳ ପର୍ଯ୍ୟଟନ, ହେନ୍ତାଳବନ ପର୍ଯ୍ୟଟନ, ହିମାଳୟ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ, ବନ୍ୟଜନ୍ତୁ ପର୍ଯ୍ୟଟନ, ଇକୋ-ଟୁରିଜିମ୍, ଐତିହ୍ୟ ପର୍ଯ୍ୟଟନ, ଆଧ୍ୟାତ୍ମିକ ପର୍ଯ୍ୟଟନ, ବିବାହ ସ୍ଥଳ, ସମ୍ମିଳନୀ ମାଧ୍ୟମରେ ପର୍ଯ୍ୟଟନ ଏବଂ କ୍ରୀଡା ପର୍ଯ୍ୟଟନକୁ ତାଲିକାଭୁକ୍ତ କରିଥିଲେ। ସେ ରାମାୟଣ ସର୍କିଟ, ବୁଦ୍ଧ ସର୍କିଟ, କୃଷ୍ଣ ସର୍କିଟ, ଉତ୍ତର-ପୂର୍ବ ସର୍କିଟ, ଗାନ୍ଧୀ ସର୍କିଟ ଏବଂ ସମସ୍ତ ସାଧୁଙ୍କ ତୀର୍ଥଯାତ୍ରାର ଉଦାହରଣ ମଧ୍ୟ ଦେଇଛନ୍ତି ଏବଂ ଏହା ଉପରେ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ସେ ଚାର୍ ଧାମ ଯାତ୍ରା, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଯାତ୍ରା, ୫୧ ଶକ୍ତିପୀଠ ଯାତ୍ରା ବିଷୟରେ ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ଆମ ବିଶ୍ୱାସର ସ୍ଥାନଗୁଡ଼ିକୁ ଯୋଡ଼ିବା ସହିତ ଦେଶର ଏକତାକୁ ମଜଭୁତ କରିବା ପାଇଁ ବ୍ୟବହୃତ ହୋଇଛି। ସେ ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦାହରଣ ଦେଇ କହିଛନ୍ତି ଯେ ଏହାର ପୁନଃନିର୍ମାଣ ହେବାର ଏକ ବର୍ଷ ପୂର୍ବରୁ ପ୍ରାୟ ୮୦ ଲକ୍ଷ ଲୋକ ମନ୍ଦିର ପରିଦର୍ଶନ କରୁଥିଲେ। କିନ୍ତୁ ପୁନରୁଦ୍ଧାର ପରେ ଗତ ବର୍ଷ ଯାତ୍ରୀଙ୍କ ଆଗମନ ୭ କୋଟି ଅତିକ୍ରମ କରିଥିଲା।
ଭାରତରେ ବଢୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ବର୍ଷ ଜାନୁଆରିରେ ମାତ୍ର ୨ ଲକ୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରିରେ ୮ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏହିପରି ପର୍ଯ୍ୟଟକଙ୍କୁ ତାଲିକା ପ୍ରସ୍ତୁତ କରିବା ଏବଂ ସର୍ବାଧିକ ଖର୍ଚ୍ଚ କ୍ଷମତା ଥିବା ଦେଶକୁ ଆକର୍ଷିତ କରିବା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ହାରାହାରି ୧୭୦୦ ଡଲାର ଖର୍ଚ୍ଚ କରୁଥିବାବେଳେ ଆମେରିକାରେ ହାରାହାରି ୨୫୦୦ ଡଲାର ଏବଂ ଅଷ୍ଟ୍ରେଲିଆରେ ପ୍ରାୟ ୫୦୦୦ ଡଲାର ଖର୍ଚ୍ଚ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରର ମୌଳିକ ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏଠାରେ ଦକ୍ଷ ପର୍ଯ୍ୟଟକ ଗାଇଡ୍ଙ୍କ ଅଭାବକୁ ଦର୍ଶାଇଥିଲେ ଏବଂ ଗାଇଡ୍ ପାଇଁ ସ୍ଥାନୀୟ କଲେଜଗୁଡ଼ିକରେ ସାର୍ଟିଫିକେଟ୍ ପାଠ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ୱେବିନାର୍ ପର୍ଯ୍ୟଟନ ସହ ଜଡିତ ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ବିଚାର କରିବ ଏବଂ ଉନ୍ନତ ସମାଧାନର ରାସ୍ତା ବାହାର କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି, ରିଅଲ୍ ଇଷ୍ଟେଟ୍ ବିକାଶ, ଭିତ୍ତିଭୂମି ଏବଂ ବୟନଶିଳ୍ପ ଭଳି ଦେଶରେ ପର୍ଯ୍ୟଟନର ସମାନ ସମ୍ଭାବନା ଅଛି।