ହାଇଦ୍ରାବାଦ : କୁଥବାଲାପୁରର ଚିନ୍ତଲ ଗ୍ରାମରେ ଶନିବାର ଅପରାହ୍ଣରେ ଏକ ତିନିମହଲା କୋଠାକୁ ହାଇଡ୍ରଲିକ୍ ଜ୍ୟାକ୍ ଦ୍ବାରା ଉପରକୁ ଉଠାଯାଉଥିବା ବେଳେ ଏହା ଢଳିପଡ଼ି ପଡ଼ୋଶୀ ଆବାସିକ ଆପାର୍ଟମେଣ୍ଟ ଉପରେ ଶୋଇପଡ଼ିଥିଲା। ସେତେବେଳେ କୋଠା ଭିତରେ ୧୬ ଜଣ ଲୋକ ଥିଲେ ଯେଉଁମାନେ ଘରମାଲିକଙ୍କ ଯୋଜନା ବିଷୟରେ କିଛି ବି ଜାଣି ନ ଥିଲେ। ତେବେ ଭାଗ୍ୟ ଭଲ, ଏଥିରେ କେହି ଆହତ ହୋଇ ନାହାନ୍ତି।
Advertisment
ଗ୍ରେଟର ହାଇଦ୍ରାବାଦ ପୌର ନିଗମ (ଜିଏଚ୍‌ଏମ୍‌ସି)ର ବିପର୍ଯ୍ୟୟ ରିଲିଫ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୋଠାରେ ଥିବା ଲୋକଙ୍କୁ ବାହାରକୁ ଆଣିଥିଲେ। ଏହାପରେ ଗୃହମାଲିକଙ୍କ ବିରୋଧରେ ପଡ଼ୋଶୀଙ୍କ ଅଭିଯୋଗକ୍ରମେ ଆଇପିସିର ୩୩୬ ଧାରା (ଅନ୍ୟର ଜୀବନକୁ ବିପଦରେ ପକାଇବା)ରେ ମାମଲା ରୁଜୁ କରାଯାଇଛି। ସ୍ଥାନୀୟ ଜିଦିମେଟଲା ଥାନା ଅଧିକାରୀ ଏମ୍ ପବନଙ୍କ କହିବା ଅନୁସାରେ କୋଠାକୁ ରାସ୍ତାସ୍ତରରୁ ଉପରକୁ ଉଠାଇବା ପାଇଁ ଗୃହମାଲିକ ପୂର୍ବରୁ ଅନୁମତି ନେଇ ନ ଥିଲେ। ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି ଏବଂ ପଡ଼ୋଶୀ କୋଠାର ମରାମତି ଚାଲିଛି। ରବିବାର ଢଳିପଡ଼ିଥିବା ପୁରୁଣା କୋଠାକୁ ଭଙ୍ଗାଯାଇଥିଲା ଏବଂ ପଡ଼ୋଶୀ ଆପାର୍ଟମେଣ୍ଟକୁ ମଧ୍ୟ ଖାଲି କରାଯାଇଥିଲା।
ସୂଚନାଯୋଗ୍ୟ, ରାସ୍ତା ଉଚ୍ଚା ହେବା ଫଳରେ ୩୨ ବର୍ଷର ପୁରୁଣା କୋଠାର ତଳ ମହଲାରେ ବର୍ଷାଦିନେ ପାଣି ପଶୁଥିଲା। ତେଣୁ ଘରମାଲିକ ଆଧୁନିକ ପ୍ରଯୁକ୍ତି ସାହାଯ୍ୟରେ ରାସ୍ତାସ୍ତରରୁ ୧୦ ଇଞ୍ଚ ନୀଚା ଥିବା ଘରକୁ ଉପରକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ଜେଜେ ବିଲ୍‌ଡରକୁ ଏହି ଦାୟିତ୍ବ ଦେଇଥିଲେ। ବିଲ୍‌ଡର ହାଡ୍ରଲିକ ଜ୍ୟାକ୍ ସାହାଯ୍ୟରେ ତିନିମହଲା ଘରକୁ କିଛି ଇଞ୍ଚ ଉପରକୁ ଉଠାଇବା ପରେ ଏହା ପଛକୁ ଢଳିପଡ଼ି ପଡ଼ୋଶୀ କୋଠା ଉପରେ ଶୋଇପଡ଼ିଥିଲା। ଏହି ସମୟରେ ଉକ୍ତ କୋଠା ଭିତରେ ୧୬ ଜଣ ଲୋକ ଥିଲେ। କୋଠାରେ ଭଡ଼ାରେ ରହୁଥିବା ୪ଟି ପରବାରକୁ ଏ ବିଷୟରେ ଆଗରୁ କିଛି କୁହାଯାଇ ନ ଥିଲା। କୋଠାଟି ଅତ୍ୟନ୍ତ ପୁରୁଣା ଓ ତା’ର ଅବସ୍ଥା ଭଲ ନ ଥିଲା। କୌଣସି ପ୍ରକାର ନବୀକରଣ କାର୍ଯ୍ୟ କରିବା ପାଇଁ ପୌର ନିଗମର ଅନୁମତି ନେବା ଆବଶ୍ୟକ ଥିବା ବେଳେ ଘରମାଲିକ କାହାରି ଅନୁମତି ନେଇ ନ ଥିଲେ।