ବ୍ରିଜ୍‌ରୁ ନଦୀକୁ ଖସିଲା ବସ୍‌, ୬ ମୃତ

ରାଞ୍ଚି : ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରେ ଆଜି ଏକ ବସ୍‌ ବ୍ରିଜ୍‌ ରେଲିଂରେ ପିଟି ହୋଇ ନଦୀକୁ ଖସି ପଡ଼ିବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ଆଜି ଗିରିଡିହ ଜିଲ୍ଲାରୁ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ଏକ ବସ୍‌ ତାତିଝରିଆ ଥାନା ଅଧୀନରେ ଏକ ବ୍ରିଜ୍‌ର ରେଲିଂରେ ପିଟି ହୋଇ ସିୱାନେ ନଦୀକୁ ଖସି ପଡ଼ିଥିଲା। ୨ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେ‌ଳେ ଅନ୍ୟ ୪ ଜଣଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଛି । ନଦୀର ଏକ ଶୁଖିଲା ସ୍ଥାନରେ ବସ୍‌ଟି ପଡ଼ିଥିବାରୁ ଅନେକ ଜୀବନ ବଞ୍ଚିଯାଇଛି। ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଆହତମାନଙ୍କୁ ‌ଏବେ ହଜାରିବାଗ୍‌ର ସଦର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଗୁରୁତର ଅାହତଙ୍କୁ ରାଞ୍ଚି ରିମ୍ସ ସ୍ଥାନାନ୍ତର କରାଯାଇଛି। ‌‌ ବସ୍‌ ମଧ୍ୟରେ ଅନେକ ସମୟ ଧରି ଯାତ୍ରୀମାନେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାପାଇଁ ଗ୍ୟାସ୍‌ କଟର୍‌ ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର