ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଦାଲତମାନଙ୍କରେ ଦୀର୍ଘ ସମୟ ଧରି ମାମଲା ଗଡ଼ୁଥିବାରୁ ସର୍ବୋଚ୍ଚ ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି। ଏସବୁ ମାମଲାର ଶୀଘ୍ର ଫଇସଲା ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟମାନଙ୍କ ପାଇଁ ୧୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏସ୍‌ ରବୀନ୍ଦ୍ର ଭଟ୍ଟ ଏବଂ ବିଚାରପତି ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ତ୍ବରିତ ଶୁଣାଣିକୁ ସୁନିଶ୍ଚିତ କରିବା ଏବଂ ବିଶେଷକରି ୫ ବର୍ଷରୁ ଅଧିକ ସମୟରୁ ବିଚାରାଧୀନ ମାମଲାର ଫଇସଲାର ତଦାରଖ ପାଇଁ ହାଇକୋର୍ଟଙ୍କୁ କହିଛନ୍ତି। କେବଳ ସେତିକି ନୁହେଁ, ଜିଲ୍ଲା ଓ ତାଲୁକ ସ୍ତରରେ ଥିବା କୋର୍ଟ ସମନଗୁଡ଼ିକର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉପଯୁକ୍ତ କ୍ରିୟାନ୍ବୟନକୁ ସୁନିଶ୍ଚିତ କରିବା, ଧାର୍ଯ୍ୟ କରାଯାଇଥିବା ଅବଧି ଭିତରେ ଜିଲ୍ଲା ଓ ତାଲୁକ ସ୍ତରର କୋର୍ଟଗୁଡ଼ିକୁ ଲିଖିତ ବିବୃତି ଦାଖଲ କରିବା, ଆଡମିସନ ଓ ଡିନାଏଲ ପ୍ରକ୍ରିୟା ରେକର୍ଡ କରିବା, ବିଚାର ପ୍ରକ୍ରିୟା ଶେଷ ହେବା ସମୟରେ ମୌଖିକ ଯୁକ୍ତିର ଶୁଣାଣି ତ୍ବରିତ ତଥା କ୍ରମାଗତଭାବେ କରାଯିବା ଆଦି ଏଥିରେ ଅନ୍ତର୍ଭୁକ୍ତ ରହିଛି।

Advertisment

ଏହି ନିର୍ଦ୍ଦେଶନାମା ହାଇକୋର୍ଟଗୁଡ଼ିକୁ ଦେବା ପାଇଁ ସୁପ୍ରିମକୋର୍ଟର ସେକ୍ରେଟାରି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ମାମଲାଗୁଡ଼ିକ ଦୀର୍ଘଦିନ ଧରି ବିଚାରାଧୀନ ରହିଲେ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକମାନଙ୍କ ଭରସା ଉଠିଯିବ। ୪୨ ବର୍ଷ ଧରି ବିଚାରାଧୀନ ଥିବା ଯଶପାଲ ‌ଜୈନ ବନାମ ସୁଶୀଲା ଦେବୀ ଓ ଅନ୍ୟ ସଂପର୍କିତ ସିଭିଲ ଅପିଲ ସଂପର୍କିତ ମାମଲାର ରାୟ ପ୍ରକାଶ କରିବା ଅବସରରେ ଖଣ୍ଡପୀଠ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାୟରେ ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରିଡ୍‌ରୁ ଉପଲବ୍ଧ ବିଚାରାଧୀନ ମାମଲାଗୁଡ଼ିକର ସଂଖ୍ୟା ଚିନ୍ତାଜନକ ବୋଲି କୁହାଯାଇଛି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରିଡ୍‌ରୁ ଉପଲବ୍ଧ ହୋଇଥିବା ଦେଶର ସମସ୍ତ ହାଇକୋର୍ଟ ଏବଂ ସମସ୍ତ ସିଭିଲ କୋର୍ଟ ଗୁଡ଼ିକର ବିଚାରାଧୀନ ମାମଲାଗୁଡ଼ିକର ସଂଖ୍ୟାକୁ ରାୟରେ ଉଲ୍ଲେଖ କରାଯାଇଛି।

ଦେଶର ସମସ୍ତ ହାଇକୋର୍ଟମାନଙ୍କରେ ଉପ‌ରୋକ୍ତ ସମୟ ଅବଧିରେ ୬୭,୩୧,୩୭୦ ସିଭିଲ ମାମଲା ଓ ୧୭,୩୬,୭୧୪ କ୍ରିମିନାଲ୍‌ ମାମଲା ବିଚାରାଧୀନ ରହିଥିବାବେଳେ ଦେଶର ସିଭିଲ କୋର୍ଟମାନଙ୍କରେ ୧,୦୬,୯୧,୩୪୩ ଟି ସିଭିଲ ଏବଂ ୩,୩୦,୪୩,୮୧୨ ଅପରାଧିକ ମାମଲା ବିଚାରାଧୀନ ରହିଥିବା ଦର୍ଶାଯାଇଛି। ଏଥିରେ ଓଡ଼ିଶା ହାଇକୋର୍ଟରେ ୧,୦୮,୧୫୪ ସିଭିଲ ଓ ୩୮,୦୭୮ କ୍ରିମିନାଲ ମାମଲା ବିଚାରାଧୀନ ରହିଛି। ଓଡ଼ିଶା ସିଭିଲ କୋର୍ଟଗୁଡ଼ିକରେ ୩,୫୦,୩୫୮ ସିଭିଲ ଓ ୧୫,୦୫,୮୯୫ ଅପରାଧିକ ମାମଲା ବିଚାରାଧୀନ ରହିଛି। ଖଣ୍ଡପୀଠ ରାୟରେ କହିଛନ୍ତି ଯେ ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ ନ୍ୟାୟ ମରୀଚିକା ନୁହେଁ ଏହା ବାସ୍ତବ ସତ୍ୟ। ଏହି ପ୍ରସଙ୍ଗର ସମାଧାନ ପାଇଁ ବାର ଓ ବେଞ୍ଚର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ସେହିଭଳି ଭିତ୍ତିଭୂମିର ସୁଦୃଢ଼ୀକରଣ, ପ୍ରଯୁକ୍ତିରେ ନିବେଶ ଏବଂ ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ନ୍ୟାୟିକ ସଶକ୍ତୀକରଣ କରିବା ଦିଗରେ ଗୁରତ୍ବ ଦେବାକୁ ରା‌ୟରେ ଖଣ୍ଡପୀଠ କହିଛନ୍ତି।