ନୂଆଦିଲ୍ଲୀ: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବା ଯୋଜନାକୁ ଆମେରିକା ବିଫଳ କରିଥିବା ଖବର ପ୍ରକାଶ ପାଇବା ପରେ ଭାରତ କହିଛି ଯେ ସଂଗଠିତ ଅପରାଧୀ, ବନ୍ଧୁକଧାରୀ, ଆତଙ୍କବାଦୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ଆମେରିକୀୟ ସୂଚନାକୁ ଯାଞ୍ଚ କରାଯାଉଛି। ଭାରତ ଏଭଳି ସୂଚନାକୁ ଗମ୍ଭୀରତାର ସହ ନେଉଛି କାରଣ ଏହା ଆମର ଜାତୀୟ ନିରାପତ୍ତା ସ୍ୱାର୍ଥ ଉପରେ ମଧ୍ୟ ପ୍ରଭାବ ପକାଉଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଆମେରିକାର ସୂଚନା ଉପରେ ସମ୍ପୃକ୍ତ ବିଭାଗଗୁଡ଼ିକ ଯାଞ୍ଚ କରୁଛନ୍ତି।

Advertisment

ଆଜି ହ୍ୱାଇଟ୍ ହାଉସ୍ କହିଛି ଯେ, ଆମେରିକା ମାଟିରେ ଜଣେ ଶିଖ୍ ବିଚ୍ଛିନ୍ନତାବାଦୀକୁ ହତ୍ୟା କରିବାର ଷଡ଼ଯନ୍ତ୍ରକୁ ଆମେରିକା ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି ଏବଂ ଏହି ପ୍ରସଙ୍ଗକୁ ଭାରତ ସରକାରଙ୍କ ନିକଟରେ ଉଠାଇଛି। ରିପୋର୍ଟ ସମ୍ପର୍କରେ ପଚରାଯିବାରୁ ହ୍ୱାଇଟ୍ ହାଉସ୍ ମୁଖପାତ୍ର ଆଡ୍ରିନ୍ ଓ୍ୱାଟ୍‌ସନ କହିଛନ୍ତି ଯେ ଭାରତୀୟ ପ୍ରତିପକ୍ଷମାନେ ଆଶ୍ଚର୍ଯ୍ୟ ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏଭଳି କାର୍ଯ୍ୟକଳାପ ସେମାନଙ୍କର ନୀତି ନୁହେଁ। ରିପୋର୍ଟ ଅନୁସାରେ, ନିଷିଦ୍ଧ ଶିଖ୍ ଫର ଜଷ୍ଟିସ୍ (ଏସ୍ଏଫ୍‌ଜେ)ର ପ୍ରତିଷ୍ଠାତା ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା ଷଡ଼ଯନ୍ତ୍ର ନେଇ ଆମେରିକା ଭାରତକୁ ଅବଗତ କରିଛି। ଆମେରିକା କର୍ତ୍ତୃପକ୍ଷ ଭାରତକୁ ଚେତାବନୀ ଦେଇ କହିଛନ୍ତି ଯେ ନୂଆଦିଲ୍ଲୀ ଏଥିରେ ସମ୍ପୃକ୍ତ ଥିବା ସମ୍ଭାବନାକୁ ନେଇ ସେମାନେ ଚିନ୍ତିତ।

ପନ୍ନୁ ଆମେରିକା ଓ କାନାଡାର ଦ୍ବୈତ ନାଗରିକ। ଜୁନ୍ ମାସରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି ବୋଲି କାନାଡା କହିବାର ଦୁଇ ମାସ ପରେ ଏହି ରିପୋର୍ଟ ଆସିଛି। ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରମାଣ ମାଗିଛି। ସୋମବାର ଆତଙ୍କବାଦ ନିରୋଧୀ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ପନ୍ନୁ ବିରୋଧରେ ଏକ ମାମଲା ରୁଜୁ କରିଛି, ଯେଉଁଥିରେ ସେ ଏୟାର ଇଣ୍ଡିଆରେ ଉଡ଼ାଣ କରୁଥିବା ଲୋକମାନେ ବିପଦରେ ଅଛନ୍ତି ବୋଲି ସୋସିଆଲ ମିଡିଆରେ ମେସେଜ ଜାରି କରିଥିଲା। ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନକୁ ଚଳାଚଳ କରିବାକୁ ଦିଆଯିବ ନାହିଁ ବୋଲି ସେ ଧମକ ଦେଇଥିବାରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିଲା।