ସିବିଆଇ ଅଧିକାରୀଙ୍କୁ ଧରିଲା ସିବିଆଇ: ବ୍ୟାଙ୍କ ଠକେଇ ମାମଲାରେ କମ୍ପାନିଠୁ ଲାଞ୍ଚ ନେଉଥିଲେ

ନୂଆଦିଲ୍ଲୀ: ଦୁର୍ନୀତିର ଚେର ଚାରିଆଡ଼େ ମାଡ଼ିଗଲାଣି। ସବୁ ସଂସ୍ଥାରେ ଦୁର୍ନୀତିଗ୍ରସ୍ତ ଲୋକ ଅଛନ୍ତି। ଏହାର ଏକ ଜ୍ବଳନ୍ତ ପ୍ରମାଣ ଆଜି ମିଳିଯାଇଛି। ଦେଶର ସବୁଠୁ ଦକ୍ଷ ତଦନ୍ତକାରୀ ସଂସ୍ଥା କୁହାଯାଉଥିବା ସିବିଆଇ ଅଧିକାରୀମାନଙ୍କ ଉପରେ ଆଜି ସିବିଆଇ ଚଢ଼ଉ କରିଛି। ବ୍ୟାଙ୍କ ଜାଲିଆତି କରିଥିବା କମ୍ପାନିଠାରୁ ଲାଞ୍ଚ ନେବା ଅଭିଯୋଗରେ ସିବିଆଇର ଅଧିକାରୀମାନଙ୍କୁ ସିବିଆଇ ଧରିଛି। ସିବିଆଇର ଦୁର୍ନୀତି ନିରୋଧୀ ୟୁନିଟ୍‌ ପକ୍ଷରୁ ଏଥିପାଇଁ କେତେଜଣ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏଥିସହିତ ସେମାନଙ୍କ ବିରୋଧରେ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ବ୍ୟାଙ୍କ ଜାଲିଆତି ମାମଲାରେ ଜଡ଼ିତ କମ୍ପାନିକୁ ଅନୁଗ୍ରହ ଦେଖାଇବା ଏବଂ ସେହି କମ୍ପାନି ଠାରୁ ଲାଞ୍ଚ ନେବା ମାମଲାରେ ସିବିଆଇର ଅଧିକାରୀମାନଙ୍କୁ ଧରାଯାଇଛି। ଗାଜିଆବାଦରେ ଜଣେ ସିବିଆଇ ଅଧିକାରୀଙ୍କ ଘରେ ଆଜି ସକାଳୁ ଚଢ଼ଉ ହୋଇଛି। ସଂପୃକ୍ତ ଅଧିକାରୀଜଣକ ଏବେ ସିବିଆଇ ଏକାଡେମିରେ ପୋଷ୍ଟିଂ ହୋଇଛନ୍ତି। ଏଭଳି ଲଜ୍ଜାଜନକ ଘଟଣା ସଂପର୍କରେ କହିବା ପାଇଁ ସିବିଆଇ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି। ତେବେ ସିବିଆଇ ଅଧିକାରୀଙ୍କ ବିରୋଧରେ ଅତିକମ୍‌ରେ ୫ଟି ସ୍ଥାନରେ ଚଢ଼ଉ ହୋଇଥିବା କୁହାଯାଇଛି। କିଛି ଅଭିଯୁକ୍ତ ସିବିଆଇ ଅଧିକାରୀ ବ୍ୟାଙ୍କ ଠକେଇରେ ସଂପୃକ୍ତ କମ୍ପାନିଠାରୁ ନିୟମିତ ଲାଞ୍ଚ ନେଉଥି‌ଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର