ନୂଆଦିଲ୍ଲୀ: ବିଭିନ୍ନ ରାଜନେତା, ଶିଳ୍ପପତି ଓ ସରକାରୀ ଅଧିକାରୀଙ୍କ ସହ କର୍ପୋରେଟ୍‌ ଲବିଷ୍ଟ୍‌ ନୀରା ରାଡ଼ିଆଙ୍କ ବାର୍ତ୍ତାଳାପର ଯେଉଁ ଟେପ୍ ରେକର୍ଡିଂ କରାଯାଇଥିଲା ତାହା ଉପରେ ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ସୁପ୍ରିମ୍‌କୋର୍ଟରେ କହିଛି ଯେ ଏହି ଟେପ୍ ପ୍ରସ୍ତୁତିରେ କୌଣସି ଆପରାଧିକତା ନାହିଁ। ସିବିଆଇ ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଐଶ୍ବର୍ଯ୍ୟା ଭଟ୍ଟି ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଗରେ ତଦନ୍ତର ଫଳାଫଳ ଉଲ୍ଲେଖ ଥିବା ଏବଂ ୨୦୧୫ରେ କୋର୍ଟରେ ଉପସ୍ଥାପନ କରାଯାଇଥିବା ଏକ ରିପୋର୍ଟ ବିଷୟରେ ଅବଗତ କରାଇଥିଲେ। ତାହା ଉପରେ କୋର୍ଟରେ ଆଜିଯାଏ ଆଉ କିଛି ଶୁଣାଣି ହୋଇ ନାହିଁ।

Advertisment

ଜଷ୍ଟିସ୍ ପିଏସ୍ ନରସିଂହ ଓ ହିମା କୋହଲି ମଧ୍ୟ ଅନ୍ୟତମ ବିଚାରପତି ଥିବା ଖଣ୍ଡପୀଠ ଆଗରେ ଭଟ୍ଟି କହିଲେ ଯେ, ନୀରା ରାଡ଼ିଆ ଟେପ୍‌ ଉପରେ ତଦନ୍ତରୁ କୌଣସି ଆପରାଧିକତାର ପ୍ରମାଣ ମିଳିନାହିଁ। ଏ ବାବଦରେ ମୁଦଦିଆ ରିପୋର୍ଟ କୋର୍ଟରେ ପୂର୍ବରୁ ଉପସ୍ଥାପନ କରାଯାଇଛି ଏବଂ ତଦନ୍ତ ଫଳାଫଳ ବିଷୟରେ ସମ୍ପୃକ୍ତ ବିଭାଗଗୁଡ଼ିକୁ ମଧ୍ୟ ଅବଗତ କରାଯାଇଛି। ଚନାଯୋଗ୍ୟ, ନୀରା ରାଡ଼ିଆଙ୍କ ଅଡିଓ ଟେପ୍ ଲିକ୍ ହେବା ପରେ ଶିଳ୍ପପତି ରତନ ଟାଟା ତାଙ୍କର ବ୍ୟକ୍ତିଗତ ଗୋପନୀୟତା ଅଧିକାର ବ୍ୟାହତ ହୋଇଛି ବୋଲି ଅଭିଯୋଗ କରି କୋର୍ଟରେ ଏହା ଉପରେ ତଦନ୍ତ ଦାବି କରି ଏକ ରିଟ୍ ପିଟିସନ ଦାଏର କରିଥିଲେ। ଏହାପରେ ୨୦୧୩ରେ କୋର୍ଟ ସିବିଆଇକୁ ତଦନ୍ତ କରିବାକୁ ଆଦେଶ ଦେଇଥିଲେ।