ନୂଆଦିଲ୍ଲୀ: ଜେଟ୍‌ ଏୟାରେଓ୍ଵଜ୍‌ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘର ଏବଂ ଏୟାରଲାଇନ୍‌ସର ପୁରୁଣା କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଚଢ଼ାଉ କରିଛି।

Advertisment

କାନାରା ବ୍ୟାଙ୍କର ଅଭିଯୋଗ ଉପରେ ସିବିଆଇ ଶ୍ରୀ ଗୋୟଲ, ତାଙ୍କ ପତ୍ନୀ ଅନୀତା, ପୂର୍ବତନ ନିର୍ଦ୍ଦେଶକ ଗୌରାଙ୍ଗ ଆନନ୍ଦ ସେଠୀ ଏବଂ ଜଣେ ଅଜ୍ଞାତ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ବ୍ୟକ୍ତିମାନେ ମିଳିତ ଭାବେ ପାଣ୍ଠି ହଡ଼ପ କରିବା ସହ ବ୍ୟାଙ୍କକୁ କ୍ଷତି ପହଞ୍ଚାଇ ଥିବା କାନାରା ବ୍ୟାଙ୍କ୍‌ ଅଭିଯୋଗରେ ଦର୍ଶାଇଛି। ସୂତ୍ରରୁ ଜଣାପଡିଛି ଯେ ବର୍ତ୍ତମାନ ୭ଟି ସ୍ଥାନରେ ସିବିଆଇ ପକ୍ଷରୁ ଏହି ଚଢ଼ାଉ ଚାଲିଛି।

ଉଲ୍ଲେଖଯୋଗ୍ୟ, ଏକଦା ଭାରତର ସର୍ବବୃହତ ଘରୋଇ ବିମାନ ସେବା କମ୍ପାନି ଜେଟ୍‌ ଏୟାରେଓ୍ଵଜ୍‌ ଗତ ୨୦୧୯ ଏପ୍ରିଲରେ ପ୍ରବଳ ନଗଦ ସଙ୍କଟ ଏବଂ ଋଣ ବୃଦ୍ଧି କାରଣରୁ ବିମାନ ଚଳାଚଳ ବନ୍ଦ କରିଦେଇଥିଲା। ୟୁଏଇର ବ୍ୟବସାୟୀ ମୁରାରି ଲାଲ ଜାଲାନ ଏବଂ ଲଣ୍ଡନର କାଲରକ୍‌ କ୍ୟାପିଟାଲ ମଧ୍ୟରେ ଏକ ଭାଗିଦାରୀ ଦ୍ୱାରା ଜୁନ୍‌ ୨୦୨୧ରେ ଏହି ଏୟାରଲାଇନ୍‌ସକୁ ଅଧିଗ୍ରହଣ କରାଯାଇଥିଲା।

ଏବେ ସିବିଆଇ ଜେଟ୍‌ ଏୟାରୱେଜ୍ ଏବଂ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ପାଣ୍ଠି ହଡ଼ପ କରିଥିବା ଅଭିଯୋଗ ଆଣିଛି। ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ ଜେଟ୍‌ ଏୟାରୱେଜ୍  ମୋଟ ୧,୧୫୨.୬୨ କୋଟି ଟଙ୍କାର ବୃତ୍ତିଗତ ଏବଂ ପରାମର୍ଶ ଖର୍ଚ୍ଚ ମଧ୍ୟରୁ ୪୨୦.୪୩ କୋଟି ଟଙ୍କା ସେହି ସଂସ୍ଥାଗୁଡ଼ିକୁ ପ୍ରଦାନ କରିଛି ଯେଉଁମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ସେମାନଙ୍କ ଚାଲାଣରେ ଥିବା ସେବା ବିବରଣୀ ସହିତ ମେଳ ଖାଉନାହିଁ। ଏ ସଂପର୍କରେ ଅଧିକ ସିବିଆଇ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।