ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଲଗାତାର ତୃତୀୟ ଦିନ ପାଇଁ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଛି। ଆଜି ତୃତୀୟ ଦିନରେ ମୁମ୍ବାଇର ଡିଆର୍ଡିଓ ଗେଷ୍ଟହାଉସ୍ରେ ସିବିଆଇ ଡ୍ରଗ୍ସ ଲିଙ୍କ୍ ନେଇ ରିୟାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଛି। ସୁଶାନ୍ତ କିଭଳି ମାନସିକ ଅବସାଦ ମଧ୍ୟରେ ରହୁଥିଲେ ଏବଂ ତାଙ୍କର ଆତ୍ମହତ୍ୟାପ୍ରବଣତା କିପରି ବଢ଼ିଯାଇଥିଲା, ରିୟା ସେ କଥା ସିବିଆଇ ଆଗରେ କହିଛି। ସୁଶାନ୍ତଙ୍କ ମାନସିକ ଅବସାଦ ଦୂର କରିବା ପାଇଁ ତାଙ୍କୁ ଔଷଧ ଆକାରରେ ଅଳ୍ପ ପରିମାଣରେ ଡ୍ରଗ୍ସ ଦିଆଯାଉଥିଲା ବୋଲି ରିୟା ପ୍ରକାଶ କରିଛି। ସେହିଭଳି ସିବିଆଇର ଏକ ଟିମ୍ ମଧ୍ୟ ଏନ୍ସିବିକୁ ଭେଟି ରିୟାଙ୍କ ଡ୍ରଗ୍ସ ଲିଙ୍କ୍ ନେଇ ଖୋଳତାଡ଼ ଆରମ୍ଭ କରିଛି।
ଡ୍ରଗ୍ସର ଚେର ବଲିଉଡ୍ର କେଉଁ ଯାଏ ଲମ୍ବିଛି ସିବିଆଇ ତାହାର ଅନୁସନ୍ଧାନ କରୁଛି। ସିବିଆଇ ଏ ବାବଦରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନ୍ସିବିକୁ ସାକ୍ଷାତ କରିଛି। ସିବିଆଇ ସୁଶାନ୍ତଙ୍କ ଫ୍ଲାଟ୍ରେ ରହୁଥିବା ପଡ଼ୋଶୀ ସିଦ୍ଧାର୍ଥ ପିଠାନିଙ୍କୁ ପଚରା ଉଚରା କରିବା ପରେ ରିୟାଙ୍କ ଡ୍ରଗ୍ସ ଲିଙ୍କ୍ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ଅପରପକ୍ଷେ, ରିୟା ସିଧାସଳଖ ଡ୍ରଗ୍ସ କିଣୁ ନଥିଲେ। ସେ ନୀରଜ, ଦୀପେଶ ସାୱନ୍ତ, ସାମୁଏଲ ମିରାଣ୍ଡାଙ୍କ ଜରିଆରେ କିଣୁଥିଲେ ବୋଲି ଜଣାପଡ଼ିଛି। କିନ୍ତୁ ରିୟା ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିଲେ ବୋଲି ଏନ୍ସିବିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଡ୍ରଗ୍ସ ସମ୍ପର୍କିତ ହ୍ବାଟ୍ସ ଆପ୍ ଚାଟ୍ କରିଥିବା ନେଇ ରିୟା ସିବିଆଇ ଆଗରେ ସ୍ବୀକାର କରିଥିବା ସୂଚନା ମିଳିଛି। ସେହିଭଳି ୨୦୧୭ରେ ଗୋଆର ନିଶା ବେପାରୀ ଗୌରବ ଆର୍ଯ୍ୟ ରିୟାଙ୍କୁ ଭେଟିଥିଲା ବୋଲି ସ୍ବୀକାର କରିଛି। ରିୟା ସୁଶାନ୍ତଙ୍କ କାର୍ଡ ବ୍ୟବହାର କରି ଡ୍ରଗ୍ସ କିଣୁଥିବା ବିଷୟ ଗୌରବ ସିବିଆଇ ଆଗରେ ସୂଚନା ଦେଇଥିବା ଜଣାଯାଇଛି।